ଦିଲ୍ଲୀ ରାଜରାସ୍ତାରେ ଓଡିଶୀ ନୃତ୍ୟ ଗୁରୁ ମାୟାଧର ରାଉତ । ସରକାରୀ ବାସ ଭବନରୁ ଜୋର ଜବରଦସ୍ତ ବାହାର କରିଦେଲା ପ୍ରଶାସନ

387

କନକ ବ୍ୟୁରୋ: ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ନେଇ ଆସିଛି ବଡ ଖବର । ଦୀର୍ଘ ବର୍ଷ ପୂର୍ବରୁ ଅର୍ଥାତ ୧୯୮୮ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶୀ ଗୁରୁଙ୍କ ଦିଆଯାଇଥିବା ଘରୁ ତାଙ୍କୁ ଜୋର ଜବରଦସ୍ତ ବାହାର କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁ ମାୟାଧର ରାଉତଙ୍କ ଝିଅ ମଧୁମିତା ରାଉତ ଏକ ଜାତୀୟ ଗଣମାଧ୍ୟକୁ କହିଛନ୍ତି କି ଘର ଖାଲି କରିବା ପାଇଁ ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ଆଦେଶ ଦିଆଯାଇଥିଲା । ଏହା ବିରୋଧରେ ସେ ଓ ତାଙ୍କ ପରିବାଙ୍କ ସମେତ ସରକାରୀ ଘରେ ରହୁଥିବା କିଛି କଳାକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଶୁଣାଣୀରେ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ସେମାନେ ପୁଣି ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣୀ ଆସନ୍ତା ମଙ୍ଗଳବାର ହୋଇଥାନ୍ତା । ତେବେ ଶୁଶାଣୀ ପୂର୍ବରୁ ବିନା କୌଣସି ନୋଟିସରେ ଏଭଳି ପଦକ୍ଷେପ ଗ୍ରହଣକୁ ନେଇ ସେ ଆପତି ପ୍ରକାଶ କରିଛନ୍ତି । ଘର ଖାଲି କରାଯିବା ସମୟରେ ସେମାନଙ୍କ ଦୁବ୍ୟବହାର କରାଯିବା ସହ ସେମାନଙ୍କ ଆସବାବପତ୍ରକୁ ବାହାରକୁ ଫିଙ୍ଗାଫିଙ୍ଗା କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ତାଙ୍କ ବାପା ମାୟାଧର ରାଉତଙ୍କ ଜୀବନ ଚାଲିଯିବା ସମ୍ଭାବନା ମଧ୍ୟ ଥିଲା ବୋଲି ଝିଅ ମଧୁମିତା କହିଛନ୍ତି । ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିବା ସହ ମଧୁମିତା କହିଛନ୍ତି ମୋଦି ସରକାରଙ୍କ ସମୟରେ ଦେଶରେ କଳାକାରଙ୍କୁ ଉଚିତ ସମ୍ମାନ ମିଳୁନି ।