ମାନବିକତା ଆଗରେ ଫିକା ପଡିଛି ବୟସ : ଭୋକିଲା ପେଟକୁ ଆହାର ଯୋଗାଇବା ପାଇଁ ଖୁବ୍ କସରତ କରନ୍ତି ଏହି ୯୦ ବର୍ଷର ବୃଦ୍ଧ , ମହତ୍ କାମ ପାଇଁ ଲୋକେ ଡାକନ୍ତି “ଗରିବଙ୍କ ମାଷ୍ଟର ସେଫ୍” ।

111

ମୁହଁରେ ବୃଦ୍ଧାବସ୍ତାର କୁଞ୍ଚନ , ମୁଣ୍ଡରେ ପାଚିଲା ଚୁଟି, ଆଖିରେ ମୋଟା ଫ୍ରେମ୍ ର ଚଷମା ଏବଂ ଦୁର୍ବଳ ଦେଖାଯାଉଥିବା ଶରୀର ଏହା ହିଁ ହେଉଛି ୯୦ ବର୍ଷୀୟ ଡିନୋ ଇମ୍ପୋଗ୍ଲିୟାଜୋଙ୍କ ଶରୀରର ପରିଚୟ । ବୟସର ଏଭଳି ସମୟରେ ଅନ୍ୟମାନେ ଖଟିଆରେ ପଡିରହୁଥିବା ବେଳେ ହାତରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ରୋଷେଇ କରୁଛନ୍ତି ଡିନୋ । ଉଦ୍ଦେଶ୍ୟ କେବଳ ଗରିବଙ୍କ ପେଟକୁ ଆହାର ଯୋଗାଇବା । ଖାଦ୍ୟ ଅଭାବ ପାଇଁ ଯେମିତି କିଏ ଭୋକିଲାରେ ନଶୋଉ । ଏଭଳି ମହତ୍ ମାନସିକତା ପାଇଁ ସାରା ଦୁନିଆ ଡିନୋଙ୍କୁ “ଗରିବଙ୍କ ମାଷ୍ଟର ସେଫ୍” ସେଫ୍ ବୋଲି ଡାକେ ।

 

ଇଟାଲୀର ସୋସିଆଲ୍ ସିକ୍ୟୁରିଟି ବିଭାଗରୁ ଅବସର ନେଇଥିବା ଡିନୋ ଗତ ୧୫ ବର୍ଷ ଧରି ଏଭଳି ମହତ୍ କାମ କରିଆସୁଛନ୍ତି । ଯାହାଙ୍କ ପାକଶାଳାରେ ସପ୍ତାହକୁ ୩ ଦିନ ନାନାଦି ପ୍ରକାର ଭୋଜନ ପ୍ରସ୍ତୁତ ହୁଏ । ପୂର୍ବରୁ ୫ ଦିନ ରୋଷେଇ ହେଉଥିଲା , ଏବେ ଅଧିକ ଦିନ କାମ କରିବା ପାଇଁ ବୟସ ସାଥ୍ ଦେଉନି । ତେଣୁ ୫ ଦିନ ଏବେ ୩ ଦିନ ହୋଇଯାଇଛି । ସହରର ଗରିବଗୁରୁବାଙ୍କ ପାଇଁ ସେ ଏହି ଖାଦ୍ୟ ପ୍ରସ୍ତୁତ କରନ୍ତି । ୨ ଦିନ ରେଳୱେ ଷ୍ଟେସନ୍ ଏବଂ ଗୋଟିଏ ଦିନ ସେଣ୍ଟ୍ ପିଟର୍ସ ସ୍କୋୟାର୍ ରେ ଉପସ୍ଥିତ ଥିବା ଭୋକିଲା ଲୋକଙ୍କୁ ଏହି ଖାଦ୍ୟ ବାଣ୍ଟନ୍ତି ଡିନୋ ।

ଏହି କାରଣରୁ ହିଁ ଲୋକମାନେ ତାଙ୍କୁ “ଗରିବଙ୍କ ମାଷ୍ଟର ସେଫ୍” ବୋଲି ଡାକନ୍ତି । ଡିନୋ କୁହନ୍ତି , ଥରେ ରେଲୱେ ଷ୍ଟେସନରେ ତାଙ୍କୁ ଜଣେ ଭୋକିଲା ବ୍ୟକ୍ତି ସାଣ୍ଡୱିଚ୍ ଖାଇବା ପାଇଁ ଟଙ୍କା ମାଗିଥିଲେ । ଏହା ପରଠାରୁ ସେ ଏଭଳି ମହତ୍ କାମ କରିବା ପାଇଁ ମନ ବଳାଇଥିଲେ । ତାଙ୍କର ‘ରୋମ୍ ର ପ୍ରେମ’ ନାମକ ଏକ ଆସୋସିଏସନ୍ ରହିଛି ଯେଉଁଥିରେ ୩୦୦ ରୁ ଅଧିକ ଭୋକିଲା ଲୋକଙ୍କୁ ଖାଦ୍ୟ ପହଁଚାଇବାର କାମ କରାଯାଏ । ସପ୍ତାହର ୪ ଦିନ ବଜାର ଏବଂ ବେକରୀ ଦୋକାନରୁ ଚାନ୍ଦା ସଂଗ୍ରହ କରି ସେହି ଟଙ୍କାରେ ଖାଦ୍ୟ ପ୍ରସ୍ତୁତ କରି ଗରିବଙ୍କ ମଧ୍ୟରେ ବଣ୍ଟାଯାଏ । ଆଜିର ସ୍ୱାର୍ଥପର ଦୁନିଆରେ ଲୋକଙ୍କୁ ମାନବିକତାର ମର୍ମ ବୁଝାଉଥିବା ଡିନୋଙ୍କ ଏହି ମହତ୍ କାମ ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ମଧ୍ୟ ମିଳିସାରିଛି ।