ଚୀନର ଦ୍ୱିତୀୟ ଉହାନ ଭାବେ ପରିଣତ ହେଲା ଏହି ସହର, ୯୦ ପ୍ରତିଶତ ଲୋକେ କରୋନା ସଂକ୍ରମିତ।

143

କନକ ବ୍ୟୁରୋ: ଚୀନରେ କରୋନାର ପ୍ରକୋପ ଜାରିରହିଛି । ଏହି ସହରରେ କରୋନା ସଂକ୍ରମଣ ବଢିଚାଲିଛି । ଏ ସବୁ ମଧ୍ୟରେ ଚୀନର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ପ୍ରାନ୍ତ ହେନାନରେ ୯୦ ପ୍ରତିଶତ ଲୋକେ କରୋନା ସଂକ୍ରମିତ ହୋଇଛି । ହେନାନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପ୍ରଥମ ଲହର ବେଳେ ଉହାନ ପ୍ରାନ୍ତରେ କରୋନାର ଏଭଳି ସଂକ୍ରମଣ ଦେଖିବାକୁ ମିଳିଥିଲା । ସାରା ବିଶ୍ୱକୁ ଉହାନ ପ୍ରାନ୍ତରୁ କରୋନାର ସଂକ୍ରମଣ ବ୍ୟାପିଥିଲା ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେନାନ ପ୍ରାନ୍ତର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କାନ କ୍ୱାବାନଚେଂଗ ପ୍ରେସ ମିଟ୍ କରି କହିଛନ୍ତି ଯେ ୨୦୨୩ ଜାନୁଆରୀ ୬ ସୁଦ୍ଧା କରୋନା ସଂକ୍ରମଣ ହାର ୮୯.୦ ପ୍ରତିଶତ ରହିଥିଲା । ଅର୍ଥାତ ହେନାନରେ ରହୁଥିବା ୯ କୋଟି ୯୪ ଲକ୍ଷ ଲୋକଙ୍କ ମଧ୍ୟରୁ ୮.୮୪ କୋଟି ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଚୀନରେ ଲଗାତର ହେଉଥିବା ବିରୋଧ ପରେ ଚୀନରେ ଅନେକ ସମୟ ଧରି ଲାଗୁ ହୋଇଥିବା ଜିରୋ କୋଭିଡ୍ ପଲିସିକୁ ଶେଷ କରାଯାଇଥିଲା । ଏହା ପରେ ଚୀନରେ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଚୀନର ସ୍ୱାସ୍ଥ୍ୟ ବିଭାଗ ବର୍ତ୍ତମାନ ସଂକ୍ରମଣ ରୋକିବାରେ ବିଫଳ ରହିଛି । ଚୀନର ବିଭିନ୍ନ ଡାକ୍ତରଖାନାରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଅନେକ ସହରରେ ଡାକ୍ତରଖାନା ଚିକିତ୍ସା ପାଇଁ ବେଡ ଉପଲବ୍ଧ ନାହିଁ । ଔଷଧ ଉପଲବ୍ଧ ନାହିଁ । ବେଜିଂ ସମେତ ଅନେକ ପ୍ରାନ୍ତରେ ଅନେକ ଭିଡିଓ ସାମ୍ନାକୁ ଆସୁଛି ଯାହା ଚିନ୍ତାର ବିଷୟ । ବିଭିନ୍ନ ଶ୍ମଶାନରେ ଲମ୍ବା ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲୋକମାନେ ଅନ୍ତିମ ସଂସ୍କାର କରିବାକୁ ଲାଇନରେ ଛିଡା ହୋଇଛନ୍ତି । ତେବେ ଏହି ସବୁସ୍ଥିତିରେ ମଧ୍ୟ ଚୀନ ନିଜର ସୀମାକୁ ଖୋଲିଦେଇଛି । ସେହିଭଳି ଚୀନ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟିନ ନିୟମକୁ ମଧ୍ୟ ଶେଷ କରିଦେଇଛି । ଚୀନ ଉପରେ କରୋନାର ତଥ୍ୟ ଲୁଚାଇବାର ଅଭିଯୋଗ ଆସିଥିଲା । ଚୀନ ଏହା ଦାବି କରିଛି ଯେ ଡିସେମ୍ବରରେ ୧.୨ଲକ୍ଷ କରୋନା ସଂକ୍ରମିତ ହୋଇଥିଲେ । ସେହିଭଳି ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଚୀନରେ କରୋନାରେ ମୃତ୍ୟୁ ନେଇ ନିୟମରେ ପରିବର୍ତ୍ତନ କରାଯାଇଥିଲା ।