ହୋମ୍ ଆଇସୋଲେସନରେ ରହି ସୁସ୍ଥ ହୋଇପାରିବେ ୯୦ ପ୍ରତିଶତ ଲୋକ । ବିଶେଷଜ୍ଞ ଡାକ୍ତର ଦେଲେ ପରାମର୍ଶ । 

530

କନକ ବ୍ୟୁରୋ : କରୋନା ପୀଡିତ ୯୦ ପ୍ରତିଶତ ଲୋକ ହୋମ୍ ଆଇସୋଲେସନରେ ରହି ଭଲ ହୋଇପାରିବେ । ତେଣୁ କରୋନା ପଜିଟିଭ ହେଲେ ଭୟଭୀତ ହେବା ଉଚିତ ନୁହେଁ । କିନ୍ତୁ ଖାମଖିଆଲ ବି ହୁଅନ୍ତୁ ନାହିଁ । ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଏହି ମତ ଦେଇଛନ୍ତି ।

କରୋନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି ଯେ, ଡାକ୍ତରଙ୍କ ସହ ପରାମର୍ଶ କରି ଘରେ ରହି କୋଭିଡ ରୋଗୀ ସୁସ୍ଥ ହୋଇପାରିବେ । ଔଷଧ ଖାଇଲା ପରେ ବି ଜ୍ୱର ଲାଗି ରହିପାରେ । ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କଲେ ଶରୀରରେ ଅକ୍ସିଜେନ ମାତ୍ରା ହ୍ରାସ ପାଉଥିଲେ ଡାକ୍ତରଙ୍କୁ ଜଣାଇବା ଦରକାର । ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀ ହସ୍ପିଟାଲ ଯିବା ଦରକାର । କିନ୍ତୁ ମନେ ରଖିବାକୁ ହେବ ଯେ, ତରତର ହୋଇ ଡାକ୍ତରଖାନା ଯିବା ଅନୁଚିତ ।

ଶରୀରରେ ଅକ୍ସିଜେନ ମାତ୍ରା କମିଗଲେ କିଛି ସମୟ ପର୍ଯ୍ୟନ୍ତ ମୁହଁମାଡ଼ି ହୋଇ ଶୋଇପଡ଼ିଲେ ଭଲ । ପ୍ରଥମେ ବାମକଡ଼ ମାଡ଼ି ଏବଂ ଏହା ପରେ ଡାହାଣ କଡ଼ ମାଡ଼ି ଶୋଇଲେ ଭଲ । ଏହା ପରେ କିଛି ସମୟ ଆଉଜି ହୋଇ ବସନ୍ତୁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଏପରି କଲେ ଅକ୍ସିଜେନ ମାତ୍ରା ସ୍ୱାଭାବିକ ସ୍ତରକୁ ଆସିଯିବ । କୋଭିଡ ପଜିଟିଭ ହେଲେ ସଂକ୍ରମଣ ନ ବ୍ୟାପିବା ପାଇଁ ଯତ୍ନବାନ ହୁଅନ୍ତୁ । କୋଭିଡ ପଜିଟିଭ ହେଲେ ୧୦୪କୁ ପରାମର୍ଶ କରିବା ଦରକାର । ଭୁବନେଶ୍ୱରବାସୀ ହୋଇଥିଲେ ୧୯୨୯କୁ ଫୋନ କରି ଅଧିକ ସୂଚନା ପାଇପାରିବେ ।