ବିଜେପିକୁ ଆଉ ଏକ ଝଟକା । ଆସାମ ଓ ଗୌହାଟୀରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳରୁ ପାଖାପାଖି ୯୦ ପ୍ରତିଶତ ସଦସ୍ୟ ଇସ୍ତଫା ଦେଇଛନ୍ତି। ଏମାନେ କହିଛନ୍ତି, ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ ଭାରତୀୟ ଜନତା ପାର୍ଟି ବିରୋଧରେ ପ୍ରଚାର କରିବେ। ଆସାମର ଏକ ଆଞ୍ଚଳିକ ଖବରକାଗଜକୁ ବଜରଙ୍ଗ ଦଳର ପୂର୍ବତନ ଜିଲ୍ଲା ସଂଯୋଜକ ଦୀପଜ୍ୟୋତି ଶର୍ମା କହିଛନ୍ତି, ଗୌହାଟୀରେ ୮୨୦ ବଜରଙ୍ଗ ଦଳ କର୍ମକର୍ତ୍ତାରୁ ୮୧୬ ଜଣ ନିଜର ସଦସ୍ୟତା ଛାଡ଼ି ଦେଇଛନ୍ତି। ଦୀପଜ୍ୟୋତିଙ୍କ ଅନୁସାରେ କେବଳ ଗୌହାଟୀରେ ନୁହେଁ ବରଂ ସମଗ୍ର ଆସାମରେ ବଜରଙ୍ଗ ଦଳର ସଦସ୍ୟମାନେ ଇସ୍ତଫା ଦେଉଛନ୍ତି। ସେ କହିଛନ୍ତି, ରାଜ୍ୟରେ ୧୪ ହଜାର ସଦସ୍ୟଙ୍କ ମଧ୍ୟରୁ ୧୩ ହଜାର ୯ଶହ ସଦସ୍ୟ ଇସ୍ତଫା ଦେଇଛନ୍ତି।

Advertisment

publive-imageବିଶ୍ୱ ହିନ୍ଦୁ ପରିଷଦ ପ୍ରସଙ୍ଗରେ ଦୀପଜ୍ୟୋତି କହିଛନ୍ତି, ଗୌହାଟୀରେ ୪୦୦ରୁ ୩୮୦ ଜଣ ସଂଗଠନ ଛାଡ଼ିଛନ୍ତି। ଆସାମର ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ପରାମର୍ଶଦାତା ଡ. ଟିକେ ଶର୍ମା ମଧ୍ୟ ସଂଗଠନରୁ ଇସ୍ତଫା ଦେଇଛନ୍ତି। ବିଶ୍ୱ ହିନ୍ଦୁ ପରିଷଦର ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିବାରୁ ସଂଗଠନରୁ ସଦସ୍ୟମାନେ ଇସ୍ତଫା ଦେଇଛନ୍ତି ବୋଲି ଦୀପଜ୍ୟୋତି କହିଛନ୍ତି। ଇସ୍ତଫା ଦେଇଥିବା ସଦସ୍ୟମାନେ କହିଛନ୍ତି, ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଯେଉଁ ସ୍ୱପ୍ନ ଦେଖାଇଥିଲା, ତାହା ପୂରଣ କରିପାରି ନାହିଁ। ଦୀପଜ୍ୟୋତି ଶର୍ମାଙ୍କ ଅନୁସାରେ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆ ଆଗାମୀ ଜୁଲାଇ ୧ରେ ଗୌହାଟୀ ଗସ୍ତରେ ଆସିବେ ଓ ସେ ସେଦିନ ନୂଆ ହିନ୍ଦୁ ସଂଗଠନ ଘୋଷଣା କରିପାରନ୍ତି।ଗତ କିଛି ଦିନ ହେଲା ବିଶ୍ୱ ହିନ୍ଦୁ ପରିଷଦକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । କାରଣ ସଙ୍ଗଠନର ମୁଖ୍ୟ ପ୍ରବୀଣ ତୋଗାଡ଼ିଆ ଅଭିଯୋଗ କରି କହିଥିଲେ ଯେ, ତାଙ୍କୁ କିଡ଼ନାପ କରିବାକୁ ଚେଷ୍ଟା କରାଯାଉଛି । ଏପରିକି ସାମ୍ବାଦିକ ସମ୍ମିଳନୀରେ ଏହା କହିବା ବେଳେ ସେ କାନ୍ଦି ପକାଇଥିଲେ ।