କୁନି ଝିଅର ବଡ଼ କମାଲ୍ । ପବନ ହୋଇଯିବ ପାଣି, ୯ ବର୍ଷର କୁନି ଝିଅ ଆବିଷ୍କାର କଲା ସ୍ୱତନ୍ତ୍ର ଡିଭାଇସ୍ ।

283

କନକ ବ୍ୟୁରୋ : ପବନ ହୋଇଯିବ ପାଣି । ଏହି କଥା ଶୁଣିକି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଏକ ଡିଭାଇସ୍ ବିଷୟରେ କହିବୁ, ଯାହା ସାହାଯ୍ୟରେ ବାୟୁକୁ ପାଣିରେ ପରିବର୍ତନ କରାଯାଇପାରିବ । ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ବଢି ବଢି ଚାଲିଥିବା ବେଳେ ଜଳସଙ୍କଟ ବଡ ସମସ୍ୟା ହୋଇ ସାମ୍ନାକୁ ଆସିଛି । ଆଉ ଏତିକି ବେଳେ ଜଣେ ୯ ବର୍ଷର କୁନି ଝିଅ, ଏମିତି ଏକ ଡିଭାଇସ୍ ଡିଜାଇନ୍ କରିଛନ୍ତି, ଯେଉଁଥିରେ ପବନକୁ ପାଣିରେ ପରିବର୍ତନ କରାଯାଇପାରିବ ।

ଏହି କୁନି ଝିଅଟିର ନାଁ ଲିସିପ୍ରିୟା କାଙ୍ଗୁଜାମ୍ । ଘର ମଣିପୁରରେ । ତେବେ ଏହି ସ୍ୱତନ୍ତ୍ର ଡିଭାଇସ୍ ତିଆରି କରିବା ପାଇଁ ସୋଲାର ଶକ୍ତିର ସାହାଯ୍ୟ ନେଇଛନ୍ତି ଲିସିପ୍ରିୟା । ତେବେ ଏହି କୁନି ଝିଅର ଦାବି ହେଉଛି ଯେ, ଏହି ଉଦ୍ଭାବନ ପରେ ଦୁନିଆରେ ଜଳ ସମସ୍ୟାର ସମାଧାନ ହୋଇପାରିବ ।

ଲିସିପ୍ରିୟା ଏହି ଡିଭାଇସର ନାଁ ରଖିଛନ୍ତି, ସୁକିଫ୍ -୨ । ତେବେ ଏହି ଡିଭାଇସର ବିଶେଷତ୍ୱ ହେଉଛି, ଏହାକୁ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ । ପାଖାପାଖି ୧ ଘଂଟା ଭିତରେ ୧୫୦ ମିଲିଲିଟର ପାଣି ତିଆରି କରିପାରିବ ଏହି ଡିଭାଇସ୍ । ଏବଂ ଗୋଟିଏ ଲିଟର ପାଣି ପ୍ରସ୍ତୁତ କରିବାକୁ ପାଖାପାଖି ୭ରୁ ୮ ଘଂଟା ସମୟ ଲାଗୁଛି ।

ଦିନକୁ ଦିନ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରୁଥିବା ବେଳେ, ଅନେକ ସ୍ଥାନରେ ଭୂତଳ ଜଳର ଅବସ୍ଥା ବିଗିଡି ଯାଇଛି । ନିତି ଆୟୋଗ ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ଦେଶର ୬୦୦ ନିୟୁତ ଲୋକ ଏହି ସମସ୍ୟା ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇପାରନ୍ତି । ଆଉ ଏଭଳି ସମସ୍ୟା ଭିତରେ କୁନି ଝିଅଟିର ଏବି ଆବିଷ୍କାରକୁ ସମସ୍ତେ ପ୍ରଂଶସା କରୁଛନ୍ତି ।