ଅଦ୍ଭୁତ ଅପରେସନ । ଏପଟେ ଚାଲିଥିଲା ଟ୍ୟୁମର ଅପରେସନ, ସେପଟେ ହୋସରେ ରହି ପିଆନୋ ବଜାଉଥିଲେ ନାବାଳିକା ରୋଗୀ 

184

କନକ ବୁାରୋ : ସାଧାରଣତଃ ଅପରେସନ କଲା ବେଳେ ରୋଗୀଙ୍କୁ ଆନେସ୍ତେସିଆ ଦିଆଯାଏ । ଫଳରେ ଅଚେତ ଅବସ୍ଥାରେ ରୋଗୀଙ୍କ ଅପରେସନ କରିଥାନ୍ତି ଡାକ୍ତର । କିନ୍ତୁ ଏଠି ତାର ଠିକ ବିପରୀତ । ଏଠାରେ ଚାଲିଛି ବ୍ରେନ ଟ୍ୟୁମର ଅପରେସନ । ଆଉ ହୋସରେ ରହି ପିଆନୋ ବଜାଉଛନ୍ତି ଜଣେ ୯ ବର୍ଷିୟ ରୋଗୀ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଅଦ୍ଭୁତ ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିୟର ଅଞ୍ଚଳରେ ।

ମଧ୍ୟପ୍ରଦେଶ ଗ୍ୱାଲିୟର ସହରର ସୌମ୍ୟା । ସୈମ୍ୟାଙ୍କ ବ୍ରେନ ଟ୍ୟୁମର ହୋଇଥିବାରୁ ସେ ସ୍ଥାନୀୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ଏଠାରେ ଡାକ୍ତରମାନେ ଏଭଳି ଅଭିନବ ଢଙ୍ଗରେ ଅପରେସନ କରିଥିଲେ । ଏହି ଅପରେସନ ଡାକ୍ତରମାନଙ୍କ ପାଇଁ ବେଶ ଚ୍ୟାଚେଞ୍ଜ ସୃଷ୍ଟି କରିଥିଲା । ବିନା ବେହୋସ କରି ଡାକ୍ତର ସୌମ୍ୟାର ଅପରେସନ ଆରମ୍ଭ କରିଥିଲେ । ହୋସରେ ରହି ସୌମ୍ୟା କେତେବେଳେ ପିଆନୋ ବଜାଉଥିଲା ତ କେତେବେଳେ ମୋବାଇଲରେ ଗେମ ଖେଳୁଥିଲେ । ଏହାରି ମଧ୍ୟ ଡାକ୍ତର ସଫଳତାର ସହ ସୌମ୍ୟା ମୁଣ୍ଡରୁ ଟ୍ୟୁମରକୁ ବାହାର କରିଥିଲେ ।

ସୌମ୍ୟା ପିଆନୋ ବଜାଇବାକୁ ଭଲ ପାଏ । ସେଥିପାଇଁ ଡାକ୍ତର ଏହି ରାସ୍ତା ବାଛିଥିଲେ । ପିଆନୋ ଓ ମୋବାଇଲରେ ଗେମ ଖେଳିବା ବେଳେ ସୌମ୍ୟାର ଧ୍ୟାନ କେବଳ ସେହି କାମ ଉପରେ ରହୁଥିଲା । ତେଣୁ ତାକୁ କଷ୍ଟ ଜଣାପଡୁନଥିଲା । ଏଭଳି ଅପରେସନ ପୂର୍ବରୁ ମଧ୍ୟ ହୋଇଛି । ଅପରେସନ ପରେ ଏବେ ସୌମ୍ୟା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡିଛି ।

ଡାକ୍ତରଙ୍କ ଏଭଳି ଅପରେସନକୁ ଏୱେକ କ୍ରାନିଓଟୋମୀ ଅପରେସନ ବୋଲି କୁହାଯାଏ । ଏଭଳି ସ୍ଥିତିରେ ରୋଗୀଙ୍କୁ ହୋସରେ ରଖାଯାଇ ଅପରେସନ କରାଯାଏ । ପୂର୍ବରୁ ଦେଶ-ବିଦେଶରେ ମଧ୍ୟ ଏଭଳି ଅପରେସନ ସଫଳତାର ସହ କରାଯାଇଛି ।

ଏହି ଅପରେସନକୁ ସଫଳତାର ସହ କରିବା ପାଇଁ ବିର୍ଲା ହସ୍ପିଟାଲ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିଲା । ବିର୍ଲା ଡାକ୍ତରଙ୍କ ଏହି ସଫଳତା ପରେ ତାଙ୍କୁ ଅନେକ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏହି ଅପରେସନ ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛି ସୌମ୍ୟା ।