୯ ବର୍ଷର ଶିଶୁ ରିୟାନ କାଜି, ୟୁ-ଟ୍ୟୁବରୁ ବାର୍ଷିକ ରୋଜଗାର କରୁଛନ୍ତି ୨୨୧ କୋଟି ଟଙ୍କା । ଜାଣନ୍ତୁ କ’ଣ ରହିଛି ରହସ୍ୟ

1,111

କନକ ବ୍ୟୁରୋ : ଏବେ କିଛି ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ସାଜିଛି ଡିଜିଟାଲ ମିଡିଆ । ବଡ କଥା ହେଉଛି ଏହି ଡିଜିଟାଲ ପ୍ଲାଟଫର୍ମ ମାନଙ୍କରୁ ରୋଜଗାର କରିବାର କୌଣସି ସୀମା ନଥାଏ । କୌଣସି ବୟସର ଲୋକ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ରୋଜଗାର କରିପାରିବ। ପୁଣି ରୋଜଗାର ଉପରେ କୌଣସି ସୀମା ବି ନଥାଏ । ଏହି ଡିଜିଟାଲ ପ୍ଲାଟଫର୍ମ ମଧ୍ୟରେ ବିଶେଷ ରୋଜଗାର ଦେଇଥାଏ ୟୁ-ଟ୍ୟୁବ୍ । ଏହି ୟୁ-ଟ୍ୟୁବରୁ ଜଣେ ୯ ବର୍ଷର ଶିଶୁ ବାର୍ଷିକ ୨୨୧ କୋଟି ଟଙ୍କା ରୋଜଗାର କରୁଛନ୍ତି । କଥାଟି ଆପଣଙ୍କୁ ଅବିଶ୍ୱାସ ଲାଗିଲେ ବି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଆମେରିକାରେ ।

ସୂଚନା ମୁତାବକ ଆମେରିକାରେ ରହୁଥିବା ଜଣେ ୯ ବର୍ଷର ପିଲା ରିୟାନ କାଜି ୟୁ-ଟ୍ୟୁବରେ ଖେଳନାର ସମୀକ୍ଷା କରିଥା’ନ୍ତି । ଅର୍ଥାତ ଖେଳନାକୁ କିଭଳି ବାକ୍ସରୁ ଖୋଲାଯିବ । ଏହାକୁ କେଉଁ ଉପାୟରେ ଖେଳିଲେ ଖେଳନା ସୁରକ୍ଷିତ ରହିବ , ଏହି ଖେଳନା ମାନଙ୍କରେ କିଭଳି ବ୍ୟାଟେରୀ ପକାଯିବ ଏମିତି ଅନେକ କିଛି ଶିଖାନ୍ତି ରିୟାନ । ଏହାର ଭିଡିଓ ପ୍ରସ୍ତୁତ କରି ସେ ୟୁ-ଟ୍ୟୁବରେ ଅପଲୋଡ କରନ୍ତି । ଆଉ ଏଭଳି ଭିଡିଓ ଅପଲୋଡ କରି ସେ ୟୁ-ଟ୍ୟୁବରୁ ବାର୍ଷିକ ଶହ ଶହ କୋଟି ଟଙ୍କା ରୋଜଗାର କରନ୍ତି । କେବଳ ୨୦୨୦ ମସିହାରେ ସେ ୨୯.୫ ନିୟୂୁତ ଆମେରିକୀୟ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୨୧ କୋଟି ଟଙ୍କା ରୋଜଗାର କରିଛନ୍ତି ।

ରିୟାନଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ସେତେବେଳୁ ସେ ଏଭଳି ଭିଡିଓ ପ୍ରସ୍ତୁତ କରିବା କାମରେ ଲାଗିପଡିଛନ୍ତି । ତାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ସେ ତାଙ୍କର ପ୍ରଥମ ଭିଡିଓ ୟୁ-ଟ୍ୟୁବରେ ଅପଲୋଡ କରିଥିଲେ । ରିୟାନଙ୍କ ଏଭଳି ଖେଳନା ଉପରେ ସମୀକ୍ଷା ଭିଡିଓ ଲୋକମାନଙ୍କୁ ବେସ୍ ପସନ୍ଦ ଆସିଥିଲା । ଏହାପରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା । ରିୟାନଙ୍କ ଏଭଳି ସମୀକ୍ଷା ଦେଖି ଅନେକ ବଡ ବଡ ଖେଳାନା କମ୍ପାନୀ ତାଙ୍କ ପାଖକୁ ଆସିବାକୁ ଲାଗିଲେ । ସେମାନେ ପରୀକ୍ଷା ସ୍ୱରୂପ ଖେଳନା ଗୁଡିକ ଲକ କରି ରିୟାନଙ୍କୁ ଅନଲକ୍ କରିବାକୁ କହନ୍ତି ।

କେବଳ ଯେ ୟୁ-ଟ୍ୟୁବରୁ ରିୟାନ ଏତେ ଟଙ୍କା କମାଇ ପାରିଛନ୍ତି ତାହା ନୁହେଁ । ବିଭିନ୍ନ ନାମି ଦାମି ଖେଳନା କମ୍ପାନୀ ମାନେ ସେମାନଙ୍କ ଖେଳନାର ସମୀକ୍ଷା ନିମନ୍ତେ ରିୟାନଙ୍କ ସହାୟତା ନେଇଥା’ନ୍ତି ଓ ଏହା ବାବଦରେ ରିୟାନଙ୍କୁ ବଡ ରକମର ଅର୍ଥ ପ୍ରଦାନ କରିଥା’ନ୍ତି । ନିକଟରେ ରିୟାନ ନିକଲେଡିୟନ ସହ ଏକ ଟିଭି ସିରିଜ୍ ପାଇଁ ଚୁକ୍ତି କରିଛନ୍ତି । ଏହାସହ ଆଜି ପର୍ଯ୍ୟନ୍ତ ସେ ଅପଲୋଡ କରିଥିବା ଭିଡିଓ ମଧ୍ୟରେ ହ୍ୟୁଜ୍ ଏଗ୍ସ ନାମକ ଏକ ଖେଳନା ସଂକ୍ରାନ୍ତ ଭିଡିଓକୁ ୨ ବିଲିୟନ ଲୋକ ଦେଖି ସାରିଲେଣି । ୟୁ-ଟ୍ୟୁବ୍ ଇତିହାସରେ ସବୁଠାରୁ ଅଧିକ ଥର ଦେଖା ଯାଇଥିବା ୬୦ ଟି  ଭିଡିଓ ମଧ୍ୟରୁ ଏହି ଭିଡିଓଟି ଅନ୍ୟତମ ।