ଆସନ୍ତା ୯ରୁ ୧୩ ଯାଏଁ ବ୍ରହ୍ମପୁର ମହାନଗର ନିଗମ ସଟଡାଉନ୍: ଜିଲ୍ଲାର ସବୁ ସହରାଂଚଳ ଓ ୫ଟି ବ୍ଲକ ହେଡକ୍ୱାଟର ବି ସଂପୂର୍ଣ୍ଣ ବନ୍ଦ; ଏହି ସମୟ ଭିତରେ କରାଯିବ ଲୋକଙ୍କ ସ୍କ୍ରିନିଂ ଟେଷ୍ଟ

621

କନକ ବ୍ୟୁରୋ: ଆସନ୍ତା ୯ରୁ ୧୩ ତାରିଖ ଯାଏ ବ୍ରହ୍ମପୁର ମହାନଗର ସଟଡାଉନ । ଜିଲ୍ଲାର ସବୁ ସହରାଂଚଳ ଓ ୫ଟି ବ୍ଲକ ହେଡକ୍ୱାଟର ମଧ୍ୟ ସଟଡାଉନ ରହିବ । ତେବେ ଏହି ସମୟ ଭିତରେ ଲୋକଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବା ନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ । ଏଥିପାଇଁ ୨ ଶହ ଟିମ ମଧ୍ୟ ଗଠନ କରାଯାଇଛି ଏବଂ ପ୍ରତି ଟିମରେ ଜଣେ ଜଣେ ଡାକ୍ତର ରହିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ଏହି ସଟଡାଉନ୍‌ ସମୟ ଭିତରେ ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ ପରୀକ୍ଷା କରାଯିବ। ସର୍ଭେ ସମୟରେ ସବୁ ଲୋକ ଘରେ ରହିବା ନିହାତି ଆବଶ୍ୟକ। ଏଥିପାଇଁ ୨ଶହ ଟିମ୍‌ ଗଠନ କରାଯାଇଛି। ସର୍ଭେରେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ଜଣ ରହିବେ। ଏହି ସବୁ ଟିମ୍‌ ପାଇଁ ଜଣେଜଣେ ଡାକ୍ତର ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ଏହାକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଏପଟେ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଆଂଟିଜେନ୍ ଟେଷ୍ଟ । ପ୍ରଥମେ ଗଂଜାମ ଓ କଟକୁ ଫୋକସ କରାଯାଇଛି । କୌଣସି ବ୍ୟକ୍ତିଙ୍କ ଦେହରେ ନିଦ୍ଦିଷ୍ଟ ରୋଗକୁ ନେଇ କଣ ପ୍ରତିରୋଧକ ଶକ୍ତି ରହିଛି , ତାହା ଜାଣିବା ପାଇଁ ଏହି ଆଂଟିଜେନ ପରୀକ୍ଷା କରାଯାଏ । ଏବେ ଓଡିଶାରେ କେତେ ଜଣଙ୍କ ଦେହରେ କରୋନା ହୋଇ ଭଲ ହୋଇଯାଇଛି ତାହା ଜାଣିବା ପାଇଁ ଆଟିଂଜେନ ଟେଷ୍ଟ କରାଯାଏ । ପ୍ରଥମ ଦଫାରେ ୫ ହଜାର ଆଂଟିଜେନ୍ ଟେଷ୍ଟିଂ କିଟ୍ ଆସିଛି । ଦ୍ୱିତୀୟ ଦଫାରେ ୨୦ ହଜାର ଆଂଟିଜେନ୍ ଟେଷ୍ଟିଂ କିଟ୍ ଆସିବ । ଆବଶ୍ୟକ ପଡିଲେ ରାଜ୍ୟକୁ ଆହୁରି ଆସିବ ଟେଷ୍ଟିଂ କିଟ୍ । ଏହି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ର ପତି ।

ଏଥିପାଇଁ କେବଳ ୨ ହଜାର ୫ ଶହ କିଟ୍ ଗଂଜାମ ଜିଲ୍ଲାକୁ ଯାଇଛି । ଏହି କିଟ୍ ବ୍ୟବହାର କରି ମାତ୍ର ୪୫ ମିନିଟ୍ ଭିତରେ ଜଣାପଡିବ ସଂକ୍ରମିତ କୋଭିଡ ୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ନା ନୁହଁନ୍ତି । ତେବେ ବର୍ତମାନ ବ୍ୟକ୍ତିଙ୍କ ଦେହରେ କରୋନା ଭୂତାଣୁ ଅଛି କି ନାହିଁ ତାହା ଆଂଟିଜେନ ଟେଷ୍ଟ ଦ୍ୱାରା ଜଣାପଡିବ ନାହିଁ । ପୂର୍ବରୁ ସେ ଏଥିରେ ସଂକ୍ରମିତ ହୋଇଥିଲେ କି ନାହିଁ ତାହା ଜଣାପଡିବ । ଏହାର ସବୁଠାରୁ ବଡ଼ ଲାଭ ହେଉଛି,- ଜନସଂଖ୍ୟାର କେତେ ଭାଗକୁ ମହାମାରୀ ବ୍ୟାପିଛି ତାହା ଜଣାପଡିଯିବ । ଏହାଛଡା ସେହି ଅଂଚଳରେ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତିର ଶକ୍ତି ବିଷୟରେ ମଧ୍ୟ ଆକଳନ କରାଯାଇପାରିବ ।