ଦେଶ ଭିତରେ ବଡଧରଣର ଆତଙ୍କବାଦୀଙ୍କ ବଡ ଯୋଜନା ପଣ୍ଡ । ୯ ଆତଙ୍କବାଦୀଙ୍କୁ ଗିରଫ କଲା ଏନଆଇଏ : ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ୬ ଏବଂ କେରଳ ଏର୍ଣ୍ଣାକୁଲମରୁ ୩ ଆତଙ୍କୀ ଗିରଫ

225

କନକ ବ୍ୟୁରୋ : ଦେଶ ଭିତରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରିଛି ଏନଆଇଏ । ୯ ଜଣ ଅଲକାଏଦା ଆତଙ୍କୀଙ୍କୁ ଗିରଫ କରିଛି ନାସନାଲ୍ ସିକୁରିଟି ଏଜେନ୍ସି ବା ଏନଆଇଏ । ପଶ୍ଚିମବଙ୍ଗ ଓ କେରଳରୁ ଏହି ୯ ଆତଙ୍କୀଙ୍କୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ୬ ଏବଂ କେରଳ ଏର୍ଣ୍ଣାକୁଲମରୁ ୩ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଏନସିଆର ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଆକ୍ରମଣର ଯୋଜନା କରିଥିଲେ ଏମାନେ । ଏହା ସହିତ ପାକିସ୍ତାନର ଅଲକାଏଦା ମଡ୍ୟୁଲକୁ ଭାରତରେ ପ୍ରୟୋଗ କରିବାକୁ ପାକିସ୍ତାନ କରୁଥିବା ଷଡ ଯନ୍ତ୍ର ବି ସାମ୍ନାକୁ ଆସିଛି ।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତ ସୋସିଆଲ୍ ମିଡିଆରେ ପାକିସ୍ତାନର ଅଲକାଏଦା ଆତଙ୍କୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦିଲ୍ଲୀ ଏନସିଆର ସମେତ ଏକାଧିକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିଲେ । ଗିରଫ ୯ ଜଣଙ୍କ ମଧ୍ୟରୁ ୨ ଜଣ ମୁର୍ସିଦାବାଦ ବାସିନ୍ଦା । ମୁର୍ସିଦାବାଦ ବାସିନ୍ଦା ଆବୁ ସୁଫିଆନାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ପାଣ୍ଠି ସଂଗ୍ରହ । ଗ୍ୟାଙ୍ଗର କିଛି ସଦସ୍ୟ ଅସ୍ତ୍ରଶସ୍ତ୍ର ଓ ଗୁଳି ଚଳାଇବା ପାଇଁ ଦିଲ୍ଲୀ ଯିବାକୁ ବି ଯୋଜନା କରିଥିଲେ । ପଶ୍ଚିମବଙ୍ଗ ଓ କେରଳ ସହିତ ଦେଶ ଭିତରେ ଅନ୍ତଃ ରାଜ୍ୟ ଅଲକାଏଦା ମଡ୍ୟୁଲ ଲାଗୁ କରିବାକୁ ପାକିସ୍ତାନ ଯୋଜନା କରୁଥିବା ଖବର ଆଗରୁ ଏନଆଇଏ ପାଖରେ ରହିଥିଲା । ଏହାକୁ ଆଧାର କରି ଏନଆଇଏ ଚଢାଉ କରି ଏହି ଗିରଫଦାରୀ କରିଛି ।

ସେମାନଙ୍କ ନିକଟରୁ ଡିଜିଟାଲ ଉପକରଣ, କାଗଜପତ୍ର, ଜିହାଦ ସାହିତ୍ୟ ବହି, ଧାରୁଆ ଅସ୍ତ୍ରଶସ୍ତ୍ର, ଦେଶୀ ବନ୍ଧୁକ, ସ୍ଥାନୀୟ ଅସ୍ତ୍ରଶସ୍ତ୍ର, ଘରୋଇ ବିସ୍ଫୋରକ ତିଆରି ସାମଗ୍ରୀ ଓ ଉପକରଣ, ବିସ୍ଫୋରକ ତିଆରି କରିବାର କାଗଜପତ୍ର ସହିତ କିଛି ନିଶିଦ୍ଧ ସାମଗ୍ରୀ ବି ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମୁର୍ସିଦ୍ ହାସନ, ଆଇୟାକବ୍ ବିଶ୍ୱ , ମୋସାରଫ୍ ହୋସେନ୍ , ନାଜମୁସ୍ ସାକିବ୍, ଆବୁ ସୁଫିଆନ୍, ମେନୁଲ୍ ମଣ୍ଡଲ୍, ଲିୟାନ୍ ଅହମ୍ମଦ, ଅଲ୍ ମାମୁନ୍ କମଲ୍ ଏବଂ ଅତୁର ରେହମାନ୍ । ପଶ୍ଚିମବଙ୍ଗ ଓ କେରଳରୁ ଗିରଫ ଆତଙ୍କବାଦୀଙ୍କୁ ସଂପୃକ୍ତ ଅଂଚଳର କୋର୍ଟରେ ହାଜର କରିବା ପରେ ଏନଆଇଏ ନିଜ ହେପାଜତକୁ ନେଇ ପଚରାଉଚରା କରିବ ବୋଲି ଜଣାପଡିବ ।