କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ । ସିଭିଲ ସର୍ଭିସ ରୁଲରେ ସଂଶୋଧନ; ଏଣିକି କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରର ଜଣକୁ ମିଳିବ ଚାକିରୀ

ଓଡିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ମିଳିଲା ଅନୁମତି

6,999

କନକ ବ୍ୟୁରୋ: ମନ୍ତ୍ରୀପରିଷଦ ବୈଠକ ପରେ ଆଜି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମନ୍ତ୍ରୀପରିଷଦ ବୈଠକରେ ବଜେଟ ଚିଠା ପ୍ରସ୍ତାବକୁ ମିଳିଲା ଅନୁମୋଦନ । ଚଳିତ ବର୍ଷ ବଜେଟ ପରିମାଣ ୧ଲକ୍ଷ ୫୦ହଜାର କୋଟି ଟପିବା ସମ୍ଭାବନା ରହିଛି । ଆସନ୍ତା ୧୮ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ । ଗତବର୍ଷ ବଜେଟ ପରିମାଣ ୧ଲକ୍ଷ ୩୯ହଜାର କୋଟି ଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଆଜି ବସିଥିଲା ମନ୍ତ୍ରୀପରିଷଦବୈଠକ ।

 

ସେପଟେ ରାଜ୍ୟ କ୍ୟାବିନେଟ ବୈଠକରେ ୯ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ପଂଚମ ଅର୍ଥ ଆୟୋଗ ଆକ୍ସନ ଟେକେନ ରିପୋର୍ଟ ଉପସ୍ଥାପନ ହୋଇଛି । ଓଡିଶା ସିଭିଲ ସର୍ଭିସ ରୁଲ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଓଡ଼ିଶା ରିହାବିଲିଟେସନ ଆସିବ, ଏଥିରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରର ଜଣକୁ ଗ୍ରୁପ ଡି ପଦବୀ ମିଳିବ । ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେ ବି ଚାକିରୀ ମିଳିବ । ପୂର୍ବରୁ ୧୦ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ । ଏହାସହ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ମିଳିଛି । ସୁନ୍ଦରଗଡ ଜିଲ୍ଲାର ୨ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏଥିରେ ୩୪୪କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୨ଲକ୍ଷ ଲୋକ ଉପକୃତ ହେବେ । ଏହାସହ ଓଡିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ଅନୁମତି ମିଳିଛି ।

ଅର୍ଥାତ୍ ଓଡିଶା ଖଣି ନିଗମ ଲିଃ ସହ ଦୀର୍ଘ ମିଆଦି ସଂଯୋଗରେ ଥିବା ଯେଉଁ କ୍ରେତାମାନେ ଯାନ୍ତ୍ରିକ ଖଣିଜ ଉତୋଳନ ବ୍ୟବସ୍ଥାରେ ପୁଂଜି ବିନିଯୋଗ କରିବା ପାଇଁ ଇଚ୍ଛୁକ, ସେହିମାନେ ୫ ବର୍ଷରୁ ଅଧିକ ଦୀର୍ଘ ମିଆଦି ଖଣିଜ ଯୋଗା ଚୁକ୍ତି କରିବା ପାଇଁ ଉପଯୁକ୍ତ ବିବେଚିତ ହେବେ । ଏହାଦ୍ୱାରା ଓଡିଶା ଖଣି ନିଗମ ଜରିଆରେ ଅଧିକ ଖଣିଜ ଉତୋଳନ ହେବ । ସେହିଭଳି ଯେଉଁ ଖଣି ପଟ୍ଟାଧାରୀମାନଙ୍କର କ୍ରୋମ ଖଣିପଟ୍ଟା ରହିଛି, ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଏହାଦ୍ୱାରା କ୍ରୋମ ଭଳି ଦଷ୍ପ୍ରାପ୍ୟ କଂଚାମାଲର ଉପଯୁକ୍ତ ବଜାର ଦର ନିର୍ଧାରଣ କରିହେବ ।

ସେହିଭଳି ରାଜ୍ୟର ଯେକୌଣସି ସ୍ଥାନରେ ସଫ୍ଟଓୟାର ଟେକ୍ନୋଲୋଜି ପାର୍କସ ଅଫ୍ ଇଣ୍ଡିଆ ତଥା ଏସଟିପିଆଇର ସେଂଟର ପ୍ରତିଷ୍ଠା ନିମନ୍ତେ ୩ ଏକର ପର୍ଯ୍ୟନ୍ତ ସରକାରୀ ଜମି ବିନା ପ୍ରିମିୟମ ଓ ବିନା ଇନ୍ସିଡେଂଟାଲ ଚାର୍ଜସେରେ ଲିଜ ସୂତ୍ରରେ ଯୋଗାଇବା ସମନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ତେବେ ଲିଜରେ ପ୍ରଦାନ କରାଯିବାକୁ ଥିବା ଏହି ସରକାରୀ ଜମି ନିମନ୍ତେ ଏସଟିପିଆଇ କର୍ତ୍ତୃପକ୍ଷଙ୍କୁ ଜମିର ବଜାର ଦରର ଏକ ପ୍ରତିଶତ ହିସାବରେ ବାର୍ଷିକ ଖଜଣା ଓ ବାର୍ଶିକ ଖଜଣାର ୭୫ ପ୍ରତିଶତ ହିସାବରେ ସିଇଏସଏସ ଦେବାକୁ ପଡିବ ।