ବ୍ରିସବେନ ଟେଷ୍ଟରେ ଖେଳିବ କିଏ? ୫ ଜଣ ସିରିଜରୁ ପଡିଲେଣି ବାଦ୍, ଏବେ ବି ୪ ଖେଳାଳି ଆହତ । କେଉଁ ଖେଳାଳିଙ୍କୁ ନେଇ ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ?

394

କନକ ବ୍ୟୁରୋ : ସିଡନୀ ଟେଷ୍ଟକୁ ଡ୍ର କରି ଟିମ୍ ଇଣ୍ଡିଆ ସମସ୍ତଙ୍କ ମନ ଜିଣିଥିବା ବେଳେ ବ୍ରିସବେନ ଟେଷ୍ଟ ପୂର୍ବରୁ ଚିନ୍ତାରେ ପଡିଛି । କାରଣ ଶେଷ ମ୍ୟାଚରେ କେଉଁ ୧୧ ଜଣଙ୍କୁ ନେଇ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ ତାହା ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆର ୧୫ ଖେଳାଳିଙ୍କ ମଧ୍ୟରୁ ୯ ଜଣ ଆହତ ହୋଇଛନ୍ତି । ଏପରିକି ଉମେଶ ଯାଦବ, ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହା ଓ ହନୁମା ବିହାରୀ ସିରିଜରୁ ବିଦାୟ ନେଇଛନ୍ତି । ଅଥାର୍ତ ସିଡନୀ ଟେଷ୍ଟର ହିରୋଙ୍କୁ ବ୍ରିସବେନରେ ଦେଖିବାକୁ ମିଳିବନି । ଆହତ ସମସ୍ୟା ଯେପରି ବଢି ନଯାଉ ସେଥିପାଇଁ ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଏହି ସମସ୍ତ ଖେଳାଳିଙ୍କୁ ଆରାମ ଦେଇଛି ବିସିସିଆଇ ।

ଏମାନଙ୍କ ବ୍ୟତୀତ ଆର ଅଶ୍ୱିନୀ, କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଓ ରିଷଭ ପନ୍ତ ମଧ୍ୟ ଆହତ ହେଇଛନ୍ତି । ଶେଷ ମ୍ୟାଚ୍ ପୂର୍ବରୁ ଏହି ଖେଳାଳିଙ୍କ ଆହତ ହେବ ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ବଢାଇ ଦେଇଛି । ଅଶ୍ୱିନୀ ମଧ୍ୟ ଏଯାଏଁ ଆହତ ସମସ୍ୟାରୁ ବାହାରିନଥିବା ବେଳେ ରାହାଣେଙ୍କ ଚିନ୍ତା ବଢିଛି । ତେଣୁ କେଉଁ ୧୧ ଜଣଙ୍କୁ ନେଇ ରାହାଣେ ମୈଦାନଙ୍କୁ ଓହ୍ଲାଇବେ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

ବୁମରାହ ସିରିଜରୁ ବାଦ ପଡିଥିବା ବେଳେ ମହମ୍ମଦ ସିରାଜ ବୋଲିଂର ମଙ୍ଗ ସମ୍ଭାଳିବେ ।  ଆଉ ୧୫ରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ମହମ୍ମଦ ସିରାଜଙ୍କୁ ସାଥ୍ ଦେବାକୁ  ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର ଓ ଟି ନଟରାଜନ ମୈଦାନକୁ ଓହ୍ଲାଇବେ । ସେହିଭଳି ହନୁମା ବିହାରୀଙ୍କ  ବିକଳ୍ପ କୁହାଯାଉଥିବା ମୟଙ୍କ ଅଗ୍ରୱାଲ ମଧ୍ୟ ଏଯାଏଁ ଆହତ ସମସ୍ୟାରୁ ବାହାରି ପାରି ନାହାନ୍ତି । ଏଭଳି ସ୍ଥିତିରେ ରିଦ୍ଧିମାନ ଶାହା ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇବା ନିଶ୍ଚିତ ହୋଇଛି । ତେବେ ୧୧ ଜଣଙ୍କୁ ନେଇ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।