ଆଜିି ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି: ସକାଳ ୯ଟା ସୁଦ୍ଧା ୯.୮୧ ପ୍ରତିଶତ ଭୋଟ୍; କରୋନା ନିୟମ ପାଳନ ଭିତରେ ଶାନ୍ତିଶୃଂଖଳାରେ ଚାଲିଛି ଭୋଟ୍

51

କନକ ବ୍ୟୁରୋ: ବାଲେଶ୍ୱର ଓ ତିର୍ତ୍ତୋଲରେ ଶାନ୍ତିଶୃଙ୍ଖଳାରେ ସହ ମତଦାନ ଚାଲିଛି । ସକାଳ ୯ଟା ସୁଦ୍ଧା ଦୁଇଟି ଯାକ ଆସନରେ ୯.୮୧ ପ୍ରତିଶତ ଭୋଟ ପଡିଛି । ତିର୍ତୋଲରେ ୭.୫୮ ପ୍ରତିଶତ ଓ ବାଲେଶ୍ୱରରେ ୧୨ ଦଶମିକ ୧୧ ପ୍ରତିଶତ ଭୋଟ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ଏଠାରେ ଭୋଟ ଚାଲିଛି ।

ଆଜି ନେତା ବାଛୁଛି ବାଲେଶ୍ୱର ଓ ତିର୍ତୋଲ । ଦୁଇ ସ୍ଥାନରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ । ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ ଟି ବୁଥରେ ମତଦାନ କରୁଛନ୍ତି । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା । ଭୋଟର କେମିତି ଲାଇନ୍ରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ ଆଗୁଆ କଟକଣା ଜାରି କରାଯାଇଥିଲା । ଏହାକୁ ପାଳନ କରି ଏଥର ମତଦାନ ଚାଲିଛି । ଧାଡିରେ ଛିଡା ହେବାବେଳେ ଭୋଟର-ଭୋଟରଙ୍କ ମଧ୍ୟରେ ଅତି କମରେ ଛଅ ଫୁଟର ଦୂରତା ରଖିବାକୁ କୁହାଯାଇଛି ।

ମତଦାନ ଆଗରୁ ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ କରାଯାଉଛି । ସମସ୍ତେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଭୋଟ ଦେବେ ସେମାନେ ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧି ପୁଲିଂ ବୁଥରେ ପ୍ରବେଶ କରି ମତଦାନ କରିବେ । ଏଥିପାଇଁ ସମସ୍ତ ଭୋଟରଙ୍କୁ ମାଗଣା ଗ୍ଲୋଭସ୍ ଯୋଗାଇ ଦିଆଯାଇଛି । ପୋଲିଂ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧି ପୁରା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସେହିପରି କରୋନା ପଜିଟିଭ୍ ବ୍ୟକ୍ତି ବି କରିପାରିବେ ମତଦାନ । ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ । ଅପରାହ୍ନ ୩ଟା ପରେ ସେମାନେ ମତଦାନ କରିବା ପାଇଁ କୁହାଯାଇଛି ।

ବାଲେଶ୍ୱରରେ ସକାଳୁ ସକାଳୁ ମତଦାନ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଏବଂ ସ୍ୱାଧୀନପ୍ରାର୍ଥୀ ବେଣୁଧର ବାରିକ୍ ।