ପ୍ରଚାର ମୈଦାନରେ ଗର୍ଭବତୀ ପ୍ରାଥୀ । ପ୍ରାର୍ଥୀଙ୍କ ଦୃଢୋକ୍ତି ଗର୍ଭସ୍ଥ ଶିଶୁ ହିଁ କରିବ ବିଜୟୀ

972

କନକ ବ୍ୟୁରୋ : ବିହାର ନିର୍ବାଚନକୁ ନେଇ ଅନେକ ରୋଚକ କଥା ଦେଖିବାକୁ ମିଳିଛି । ଏଲଜେପି ବିଜେପି ସହିତ ଥିବା କଥା କହୁଥିବା ବେଳେ ବିଜେପି କିନ୍ତୁ ଏଲଜେପିକୁ ଭୋଟ କଟର ପାର୍ଟି କହିବାରେ ଲାଗିଛି । ସେପଟେ ବିହାରର ବହୁ କଥିତ ଶବ୍ଦ କା ବା କୁ ନେଇ ବି ରାଜନୀତି ସରଗରମ ରହିଛି । ଏଭଳି ସ୍ଥଳେ ଆମେ ଏକ ଭିନ୍ନ ରୋଚକ କଥା କହିବାକୁ ଯାଉଛୁ । ଯାହାକୁ ପଢିଲେ ଆପଣ ବି ଚକିତ ହୋଇଯିବେ । ଆମେ ସାଧାରଣ ଭାବେ ଜାଣିଛୁ ଯେ ଜଣେ ମହିଳା ସେ କେଉଁ ପଦ ପଦବୀରେ ଥା’ନ୍ତୁ ନା କାହିଁକି ଥରେ ଗର୍ଭବତୀ ହେଲେ ପ୍ରାୟ ସମୟ ସେ ଘରେ ରହନ୍ତି ଓ ବିଶ୍ରାମ କରିବାକୁ ଡାକ୍ତର ବି ପରାମର୍ଶ ଦେଇଥାନ୍ତି । ହେଲେ ଆମେ ଆପଣଙ୍କୁ ଯାହା କଥା କହୁଛୁ ସେ ହେଉଛନ୍ତି ସୁଶୁମଲତା କୁଶୱାହା । ଯେ କି ୯ ମାସର ଗର୍ଭବତୀ ଥାଇ ବି ବିହାର ନିର୍ବାଚନରେ ଜେଡିୟୁ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି।

ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ଜେଡିୟୁ ତରଫରୁ ପ୍ରାର୍ଥୀ ହୋଇଛନ୍ତି ଗର୍ଭବତୀ ମହିଳା ପ୍ରତ୍ୟାସୀ ସୁଶୁମଲତା କୁଶୱାହା । ଯାହାକୁ ଦେଖି ଲୋକମାନେ ଚକିତ ହେଉଛନ୍ତି । କେତେବେଳେ ବି ସେ ମା’ ହୋଇପାରିନ୍ତି । ଏଭଳି ସ୍ଥିତିରେ ବି ସେ ନିର୍ବାଚନ ପ୍ରଚାରରେ ନିଜକୁ ସକ୍ରିୟ ରଖିଛନ୍ତି । ସେ କହିଛନ୍ତି କି ଗର୍ଭରେ ଥିବା ଶିଶୁ ତାଙ୍କୁ ନିର୍ବାଚନରେ ବିଜୟୀ କରାଇବ । ମହାଭରତର ଅଭିମନ୍ୟୁ ଭଳି ତାଙ୍କ ଗର୍ଭରେ ଥିବା ଶିଶୁ ତାଙ୍କ କମଜୋରୀର କାରଣ ନୁହେଁ ସେ ତ ବିହାର ନିର୍ବାଚନୀ ମହାଭାରତରେ ତାଙ୍କୁ ସହଯୋଗ କରୁଛି ।

ସୁଶମଲତା ବିହାରର ଭୋଜପୁର ଜିଲ୍ଲାର ଜଗଦୀସପୁର ବିଧାନସଭା କ୍ଷେତ୍ରରୁ ଜେଡିୟୁରୁ ପ୍ରାର୍ଥୀ ହୋଇଛନ୍ତି । ଯେଉଁଠାରେ ପ୍ରଥମ ପର୍ଯ୍ୟାୟ ତଥା ୨୮ ଅକ୍ଟୋବରରେ ମତଦାନ ହେବ । ସେଥିପାଇଁ ଏବେ ସୁଶମଲତା ଚୁନାବ ପ୍ରଚାରକୁ ଜୋରଦାର ଚଳାଇଛନ୍ତି । ଘର ଘର ବୋଲି ଭୋଟ ଭିକ୍ଷା କରିବା ସହ ସଭା ସମିତିରେ ସେ ଯେମିତି ସକ୍ରିୟ ରହୁଛନ୍ତି ତାଙ୍କ ଗର୍ଭରେ ଯେ ୯ ମାସର ଶିଶୁ ରହିଛି ତାହା ଜାଣିବା କଷ୍ଟକର ।

ସୁଶମଲତା ଯେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ସେ ସେଠିକାର ଏକ ପଂଚାୟତରେ ମୁଖିଆ ଅର୍ଥାତ ସରପଂଚ ଅଛନ୍ତି । ସେଠିକାର ଲୋକମାନେ କହିବା ମୁତାବକ ସୁଶମଲତା ଜଣେ କର୍ମଠ ଓ ସଚ୍ଚୋଟ ମହିଳା । ଯେତେବେଳେ ସେ ନିର୍ବାଚନରେ ପ୍ରାର୍ଥୀ ହେବାକୁ କୁହାଗଲା ସେତେବେଳକୁ ସେ ୯ ମାସର ଗର୍ଭବତୀ ଥିଲେ । ଏନେଇ ସେ କହିଥିଲେ କି ସେ ଯେଉଁ କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ସେହି ମାଟି ଏକ ଆନ୍ଦୋଳନକାରୀ ମାଟି । ଯେଉଁଠୁ ବାବୁ ବୀର କୁମ୍ବର ସିଂ ଓ ଲକ୍ଷ୍ମୀବାଇ ତାଙ୍କର ଆଦର୍ଶ ବୋଲି ସେ କହିଥିଲେ । ଏହି ଦୁଇଜଣ ବୀର ପ୍ରତିକୂଳ ପରିସ୍ଥିତିରେ କେବେ ହାର ମାନି ନଥିଲେ ତେଣୂୁ ମୁଁ କାହିଁକି ହାର ମାନିବି ।

ଅନ୍ୟପଟେ ସୁଶମଲତା କୁଶୱାହା ଜଗଦୀସପୁର ନିର୍ବାଚନ କ୍ଷେତ୍ରରୁ ବିଜୟୀ ହେବା ଏତେ ସହଜ କଥା ନୁହେଁ । ଏହି ବିଧାନସଭା କ୍ଷେତ୍ରରେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଆରଜେଡିର ବର୍ତମାନ ବିଧାୟକ ଥିବା ରାମ ବିଷୁନୁ ସିଂ ଲୋହିୟା । ଏହି ନିର୍ବାଚନ ମଣ୍ଡଳୀଟି କ୍ରମାଗତ ଭାବେ ଆରଜେଡି ହାତରେ ରହିଛି ।