ମାଆ କୋଳକୁ ଫେରିଛି ଚୋରି ହୋଇଥିବା ଶିଶୁ ପୁତ୍ର । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ସତ ସାମ୍ନାକୁ ଆଣିଛି ପୁଲିସ

344

କନକ ବ୍ୟୁରୋ : ମା କୋଳକୁ ଫେରି ଆସିଛି ମମତା । ପୁଅକୁ ପାଇ ଦୁନିଆର ସବୁ ସୁଖ ପାଇଯାଇଛି ମା । ପୁଅକୁ ହଜେଇବାର ଦୁଃଖକୁ ଭୁଲି ତା ହସରେ ହଜିଯାଇଛି । ଆଉ କୁନି ପୁଅ ବି ମା କୋଳକୁ ଫେରିବା ପରେ ତା ମୁହଁରେ ହସ ଫୁଟି ଉଠିଛି ।

ଏହି ଖୁସିର କିଛି ଘଂଟା ପୂର୍ବରୁ ଶିଶୁ ପୁତ୍ରକୁ ଚୋରି କରି ନେଇଥିଲା ଜଣେ ମହିଳା । ଛୁଆ ଚୋରି କରିଥିବା ମହିଳା ଜଣଙ୍କ  ଖଲ୍ଲିକୋଟ ଥାନା ଅଧିନ ବାଣିଆ ଗ୍ରାମର ସ୍ୱାମୀ ପରିତ୍ୟକ୍ତ ମାମା ଗୌଡଙ୍କ ୯ମାସର ଶିଶୁ ପୁତ୍ର ରାହୁଲକୁ ଚୋରି କରି ନେଇଥିଲେ । କିନ୍ତୁ ସୌଭାଗ୍ୟ ବସତଃ ସ୍ଥାନୀୟ ଅଂଚଳରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଯାଇଥିଲା ପିଲା ଚୋରି ସମୟର ସମସ୍ତ ଦୃଶ୍ୟ । ଆଉ ସେହି ସିସିଟିଭି ଫୁଟେଜ ଓ ଅଭିଯୁକ୍ତର ମୋବାଇଲ ନମ୍ବରକୁ ଟ୍ରାକ କରି ଭୁବନେଶ୍ୱରରୁ ଶିଶୁ ପୁତ୍ରକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ଗଞ୍ଜାମ ପୋଲିସ ।

ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଅଧିକ ତଦନ୍ତ କରିଥିଲା । ତଦନ୍ତରୁ ଜଣାପଡିଥିଲା ଅଭିଯୁକ୍ତ ପ୍ରଭାସିନି ଏହି ଶିଶୁ ପୁତ୍ରକୁ ବିକ୍ରି କରିବା ଉଦେଶ୍ୟରେ ଚୋରି କରିଥିଲା । ତେବେ ପ୍ରଭାସିନୀ ପ୍ରଥମ ଥର ପାଇଁ ପିଲା ଚୋରି କରିନଥିଲା । ଏହା ପୂର୍ବରୁ ମଧ୍ୟ ସେ ଆଉ ଜଣେ ଶିଶୁ କନ୍ୟାକୁ ଚୋରି କରିଥିବା ଜଣାପଡିଥିଲା । ଖଲ୍ଲିକୋଟ ପୋଲିସ ସେହି ଶିଶୁ କନ୍ୟାକୁ ମଧ୍ୟ ଉଦ୍ଧାର କରିଥିଲା ।

ମାତ୍ର କେତେ ଟଙ୍କା ପାଇଁ ଜଣେ ମହିଳାଙ୍କ କୋଳରୁ ପିଲାକୁ ଚୋରି କରି ନେବା ଓ ତାକୁ ବିକ୍ରି କରିବା ଖବର ସାମନାକୁ ଆସିବା ପରେ ଏହା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି ।