ମନ୍ତ୍ରୀଙ୍କ ମୁହଁରେ ଲାଇସେନ୍ସ କଥା । ସେପ୍ଟେମ୍ବର ୧ରୁ ନଭେମ୍ବର ୨୪ ମଧ୍ୟରେ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ପ୍ରାୟ ୯ ଲକ୍ଷ ଗାଡି ଚାଳକ, ଗିରଫ ହୋଇଛନ୍ତି ୧୨୫ ଜଣ ଦଲାଲ ।

618

କନକ ବ୍ୟୁରୋ : ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଆରଟିଓ ଅଫିସରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏପରିକି ଏହି ନିୟମ ଲାଗୁ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ଆରଟିଓ ଅଫିସ ସାମ୍ନାରୁ ଭିଡ କମିବାର ନାଁ ନେଉନାହିଁ । ଆଉ ଏସବୁ ଭିତରେ ୧ ସେପ୍ଟେମ୍ବରରୁ ୨୪ ନଭେମ୍ବର ମଧ୍ୟରେ ରାଜ୍ୟର ବିଭିନ୍ନ ଆରଟିଓରେ ୮ ଲକ୍ଷ ୮୯ ହଜାର ୯୩ ଜଣ ଆବେଦନକାରୀ ଲଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ଜଣାପଡିଛି ।

ପ୍ରାୟ ୯ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୫ ଲକ୍ଷ ୨୫ ହଜାର ୯୬୮ ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଯୋଗାଇ ଦିଆଯାଇଛି । ସେହିପରି ୧ ଲକ୍ଷ ୪୪ ହଜାର ୬୭୫ ଜଣଙ୍କ ମଧ୍ୟରୁ ୯୫ ହଜାର ୨୬୬ ଜଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଇଛି । ଭୁବନେଶ୍ୱର ଆରଟିଓ ୧ରେ ୬୩ ହଜାର ୨୭ ଜଣ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୪୫ ହଜାର ୩୫୧ ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ସେହିପରି ୧୨ ହଜାର ୫୪୫ ଜଣଙ୍କ ମଧ୍ୟରୁ ୮୧୦୨ ଜଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଇଛି ।

ସେହିପରି ଆରଟିଓ -୨ରେ ମୋଟ ୩୧ ହଜାର ୭୩୭ ଜଣ ଆବେଦକାରୀଙ୍କ ମଧ୍ୟରୁ ୨୪ ହଜାର ୯୮୭ ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଓ ୭,୧୦୯ ଜଣଙ୍କ ମଧ୍ୟରୁ ୫୫୦୫ ଜଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରଦାନ କରାଯାଇଛି । ଏହାଛଡା ବିଭିନ୍ନ ଆରଟିଓ ଗୁଡିକରୁ ୧୨୫ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।