କେନ୍ଦ୍ରର ଅନୁମୋଦନ ପରେ ୯ଜଣ ଜଜଙ୍କୁ ସୁପ୍ରିମକୋର୍ଟ ଜଜ୍ ଭାବେ ମିଳିବ ପଦୋନ୍ନତି । ୯ ଜଣଙ୍କ ମଧ୍ୟରେ ରହିଛନ୍ତି ୩ ମହିଳା ବିଚାରପତି

121

କନକ ବ୍ୟୁରୋ: ୨୦୨୭ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବେ ଜଣେ ମହିଳା ବିଚାରପତି । ପ୍ରଥମ ମହିଳା ବିଚାରପତି ଭାବେ ବିଭି ନାଗରତ୍ନା ୨୦୨୭ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବେ । ପଦୋନ୍ମତି ପାଇ ସୁପ୍ରିମକୋର୍ଟ ଜଜ୍ ହେବାକୁ ଯାଉଥିବା ୯ ଜଣ ବିଚାରପତିଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣାଟକା ହାଇକୋର୍ଟର ବିଚାରପତି ବିଭି ନାଗରତ୍ନା । ଗୁରୁବାର କେନ୍ଦ୍ର ସରକାର ୯ଜଣ ବିଚାରପତିଙ୍କ ନାମ ଉପରେ ମୋହର ମାରିଛନ୍ତି ।

ଏମାନଙ୍କୁ ସୁପ୍ରିମକୋର୍ଟ ଜଜ୍ ଭାବେ ପଦୋନ୍ମତି ମିଳିବାକୁ ଯାଉଛି । ୯ ଜଣ ବିଚାରପତିଙ୍କ ମଧ୍ୟରେ ୩ଜଣ ମହିଳା ବିଚାରପତି ରହିଛନ୍ତି । ମହିଳାଙ୍କ ମଧ୍ୟରେ ବିଭି ନାଗରତ୍ନାଙ୍କ ବ୍ୟତିତ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ ରହିଛନ୍ତି ।

ସେହିପରି ଅନ୍ୟ ୬ଜଣ ବିଚାରପତି ହେଉଛନ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏ ଏସ୍ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ ବରିଷ୍ଠ ଆଇନଜୀବୀ ପିଏସ ନରସିମା ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି । ତେବେ ବରିଷ୍ଠତା ଦୃଷ୍ଟିକୋଣରୁ ୨୦୨୭ ବେଳକୁ ବିଭି ନାଗରତ୍ନା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇପାରନ୍ତି ।