ଦାଗ ସଫା କଲା ସମର୍ଥନ ? ଅଜିତ ପାୱାରଙ୍କୁ ଆଶ୍ୱସ୍ତି । ଜଳସେଚନ ଦୁର୍ନୀତି ମାମଲାରେ ମିଳିଲା କ୍ଲିନଚିଟ୍

992

କନକ ବ୍ୟୁରୋ: ଘଣ୍ଟାର ସମୟ ବଦଳିବା ପରେ ଘଡିକେ ବଦଳୁଛି ମହାରାଷ୍ଟ୍ର ରାଜନୀତିର ଚିତ୍ର । କ୍ଷମତା ଓ ଚୌକି ପାଇଁ କେତେବେଳେ କଣ ହେଉଛି ତାହା କିଛି ଜଣାପଡୁନି । ପାୱାର ପାଇଁ କିଏ ଘର ଛାଡି ପରକୁ ସମର୍ଥନ ଦେଉଛି ତ ଆଉ କିଏ ମେଣ୍ଟ ଭାଙ୍ଗି ମାୟା ରଚୁଛି । ତେବେ ଗତ କିଛି ଦିନ ହେବ ମାହାରାଷ୍ଟ୍ରରେ ମହାଭାରତ ଚାଲିଥିବା ବେଳେ ଆଜି ପୁଣି ଆସିଛି ନୂଆ ଟୁଇଷ୍ଟ ।

ପାୱାର ପାଇଁ ରାତିଅଧିଆ ପଦ୍ମ ପଛରେ ଛିଡା ହୋଇଥିବା ଛୋଟ ପାୱାର ଅର୍ଥାତ ଏନସିପି ନେତା ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ ମିଳିଛି ଆଶ୍ୱସ୍ତି । ଜଳସେଚନ ଦୁର୍ନୀତିରେ ତାଙ୍କ ବିରୋଧରେ ଥିବା ୯ଟି ବଡ ବଡ ମାମଲାକୁ ବନ୍ଦ କରିଦିଆଯାଇଛି । ମହାରାଷ୍ଟ୍ର ଆଣ୍ଟି କରପସନ ବ୍ୟୁରୋ ପକ୍ଷରୁ ତାଙ୍କୁ କ୍ଲିନଚିଟ୍ ଦିଆ ଯାଇଥିବା କୁହାଯାଇଛି । ତେବେ ବର୍ତ୍ତମାନ ଉକ୍ତ ଦୁର୍ନୀତିରେ ୩ ହଜାର ପ୍ରୋଜେକ୍ଟ ତଦନ୍ତ ପରିସରଭୁକ୍ତ ଥିବା ବେଳେ ୯ଟି ମାମଲାରେ ଅଜିତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତେଣୁ ଏସବୁ ମାମଲା ବନ୍ଦ କରିବା ସହ ତାଙ୍କୁ କ୍ଲିନଚିଟ୍ ଦିଆଯାଇଛି ।

ସେପଟେ ଅଜିତ ପାୱାରଙ୍କୁ କ୍ଲିନଚିଟ୍ ମିଳିବା ପରେ ମୋଦି ସରକାରଙ୍କୁ ସମାଲୋଚନା କରିବାରେ କୌଣସି ମଉକା ହାତଛଡା କରିନି କଂଗ୍ରେସ । ଅଜିତ ବିଜେପିକୁ ସମର୍ଥନ ଦେବାର ୨ ଦିନ ପରେ ତାଙ୍କ ଦେହରେ ଲାଗିଥିବା ସାତ ବର୍ଷ ଦୁର୍ନୀତିର ଦାଗକୁ ସଫା କରିଛି ମୋଦି ସରକାର । ୨୦୧୩ରୁ ଅଜିତଙ୍କ ବିରୋଧରେ ଥିବା ଜଳସେଚନ ଦୁର୍ନୀତିକୁ ଦୁଇ ଦିନରେ ଜଳ ମାରି ସଫା କରିଛନ୍ତି ମୋଦି ସରକାର ବୋଲି କଂଗ୍ରେସ କଡା ଭାଷାରେ ସମାଲୋଚନା କରିଛି ।

ତେବେ ମୋଦି ସରକାର ଆଣ୍ଟି କରପସନ ବ୍ୟୁରୋକୁ ନିର୍ଦ୍ଦେଶ ଦେଇ ଅଜିତଙ୍କ ଦେହରୁ କାଦୁଅ ଛଡାଇଛନ୍ତି । ତେବେ ମୋଦି ହେ ତୋ ମୁମକିନ ହେ କହି ବିଜେପିକୁ କଟାକ୍ଷ କରିବା ସହ ଏହା ଏଭଳି କାମ ଗଣତନ୍ତ୍ର ପ୍ରତି ବିପଦ ବୋଲି ବିରୋଧୀ ସମାଲୋଚନା କରିଛନ୍ତି ।