କନକ ବ୍ୟୁରୋ : ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ ଏବେ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ଆଗକୁ ପରୀକ୍ଷା ଆସୁଥିଲେ ମଧ୍ୟ ଦିନକୁ ୨ ଘଣ୍ଟାରୁ ଆରମ୍ଭ କରି ୮ଘଣ୍ଟା ଧରି ବିଦ୍ୟୁତ ସଂଯୋଗ ରହୁ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ବ୍ୟାହତ ହେଉଛି । ଏପରିକି ବିଦ୍ୟୁତ ସଂଯୋଗ ରହୁନଥିବାରୁ ପାଣି ସମସ୍ୟା ମଧ୍ୟ ଦେଖାଦେଇଛି ।

Advertisment

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ହେଉଛି ବିଜୁଳିକାଟ । ୮ରୁ ୯ ଘଂଟା ବିଦ୍ୟୁତ ପାୱାର କାଟ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି । ରାୟଗଡ଼ା ଗ୍ରାମାଂଚଳରେ ବିଦ୍ୟୁତ କାଟ ଯୋଗୁଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା କହିଛନ୍ତି ଲୋକେ । ଲୋକଙ୍କ ଅଭିଯୋଗ ଠିକ୍ ସମୟରେ ବିଲ ଆଦାୟ କରି ନେଉଛନ୍ତି । ହେଲେ ବିଲ ନେବା ପରେ କାହିଁକି ବାରମ୍ବାର ବିଦ୍ୟୁତ କାଟ ହେଉଥିବା ନେଇ ପ୍ରଶ୍ନ କରିଛନ୍ତି । ରାତିରେ ବିଦ୍ୟୁତ କାଟ ପାଇଁ ପିଲାଙ୍କ ପାଇଁ ଏକମାତ୍ର ସାହାର ମୋବାଇଲ ଟର୍ଚ୍ଚ । ଅସହ୍ୟ ଗୁଳୁଗୁଳିରେ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦୁଇ ଗୁଣ କରିଦେଉଛି । ଯଦି ଏ ଦିଗରେ ପ୍ରଶାସନ ଦୃଷ୍ଟି ନଦିଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ସ୍ଥିତି । ବିଦ୍ୟୁତ କାଟ ପାଇଁ ଚିନ୍ତାରେ ପଡ଼ିଛନ୍ତି ଅନେକ ଖୋର୍ଦ୍ଧାବାସୀ । ଆଗକୁ ପିଲାଙ୍କ ପରୀକ୍ଷା ଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ପାଇଁ ପିଲାମାନେ ଅସୁବିଧାରେ ପଡ଼ୁଛନ୍ତି । ଅସହ୍ୟ ତାତିରେ ବିଜୁଳିକାଟ ପାଇଁ ପିଲାଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଉଛି । ଏହା ସହ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ରୋଗୀମାନେ ନାହିଁ ନଥିବା କଷ୍ଟ ପାଉଛନ୍ତି । ଘନ ଘନ ବିଜୁଳି କାଟ ପାଇଁ ଦୈନଦିନ ଜୀବନ କାଟିବା କଷ୍ଟକର ହେଉଛି । ପ୍ରଶାସନକୁ ଏନେଇ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନେଉଥିବା କହିଛନ୍ତି ଛାତ୍ରୀ ।

କଳାହାଣ୍ଡି ଜିଲ୍ଲାର ବାଣ୍ଡି ଗାଁ, ରେଙ୍ଗାଲପାଲି ଗାଁରେ ବିଦ୍ୟୁତ ବିଲକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଦ୍ୟୁତ ବିଲ ନାଁରେ ୮ହଜାରୁ ୧୦ ହଜାର ଟଙ୍କା ବାନ୍ଧିବାକୁ ବାଧ୍ୟ କରାଯାଉଛି । ନଚେତ ବିଦ୍ୟୁତ କାଟିଦେବା ବିଦ୍ୟୁତ କାଟିଦେବା ପାଇଁ ଚେତାବନୀ ଦେଉଛନ୍ତି ବିଦ୍ୟୁତ ବିଭାଗ । ଏପଟେ ରାଜ୍ୟରେ ପାରଦ ୪୦ ଡିଗ୍ରୀ ପାର କରିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହାରି ଭିତରେ ବିଦ୍ୟୁତ କାଟ ସ୍ଥିତି ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ।