ପ୍ରାୟ ୯ଶହ କୋଟିର ପାନୀୟ ଜଳ ପ୍ରକଳ୍ପକୁ ବିରୋଧ । କେନ୍ଦ୍ରାପଡ଼ାରୁ ଭଦ୍ରକକୁ ଜଳ ଯୋଗାଣ ହେବାକୁ କେନ୍ଦ୍ର କରି ସ୍ଥାନୀୟ ଲୋକଙ୍କ ବିରୋଧ : ପାଳି କରି କରୁଛନ୍ତି ବିରୋଧ

160

କନକ ବ୍ୟୁରୋ : ପାଣି ରୋକିବାକୁ ଗ୍ରାମବାସୀଙ୍କ ପାଳି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଭାରିଗଦା ପଡିଆରେ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଓ ଆଳି ବ୍ଲକ ଦେଇ ବହି ଯାଇଥିବା ଖରସ୍ରୋତା ନଦୀର ଜଳ ଭଦ୍ରକ ଜିଲ୍ଲାର କିଛି ଅଂଶକୁ ଯିବା ଫଳରେ ଏହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଅଂଚଳବାସୀ । ୮୮୯ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି ଲୋକେ । ଖରସ୍ରୋତା ବଂଚାଅ ସଂଗ୍ରାମ ସମୀତି ନାମରେ ଏନ ଅନୁଷ୍ଠାନ ଗଠନ କରି ଏହି ପ୍ରକଳ୍ପକୁ କ୍ରମାଗତଭାବେ ବିରୋଧ କରି ଆସୁଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ଭଦ୍ରକ ଜିଲ୍ଲାର ୮୪ ପଂଚାୟତର ୫୨୬ଗାଁକୁ ପାଣି ଯୋଗାଇବା ପାଇଁ ନିଷ୍ପତି ନିଆଯାଇଛି ।

ଏହାକୁ ବିରୋଧ କରି ସ୍ଥାନୀୟ ଅଂଚଳର ଲୋକମାନେ ପ୍ରତିଦିନ ପାଳି କରି ଧାରଣାରେ ବସିଥିବା ଦେଖା ଯାଇଛି । ଏପରିକି ପ୍ରକଳ୍ପରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ କାମ କରିବାକୁ ଦେଉନାହାନ୍ତି ସ୍ଥାନୀୟ ଗ୍ରାମବାସୀ । ଭଦ୍ରକ ଜିଲ୍ଲାରେ ନଦୀ ଥାଉ ଥାଉ କେନ୍ଦ୍ରାପଡ଼ା ଜିଲ୍ଲାରୁ ପାଣି ଯିବା ନିଷ୍ପତିରେ ସହମତ ହେଉ ନାହାନ୍ତି ବିରୋଧକାରୀ । ଚାଷ ଜମିକୁ ଠିକ୍ ସମୟରେ ପାଣି ଯୋଗାଇପାରୁ ନଥିବା ବେଳେ ସରକାରଙ୍କ କମ୍ପାନୀ ପ୍ରୀତିକୁ ନିନ୍ଦା କରିଛନ୍ତି । ଏପରିକି ପରିସ୍ଥିତିରେ କମ୍ପାନୀ କର୍ତୃପକ୍ଷ ଏବଂ ସ୍ଥାନୀୟ ଲୋକମାନଙ୍କ ପ୍ରକଳ୍ପ ତିଆରୀ ନେଇ ଲାଗି ରହିଛି ଛକାପଂଝା ।