ତୃତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ଟିକା ନେଲେ ୧୫.୨୮ ଲକ୍ଷ ଲୋକ । ଦେଶରେ ମୋଟ ଟିକା ନେଲେଣି ୬.୭୫ କୋଟି ଲୋକ

55

କନକ ବ୍ୟୁରୋ : ଦେଶରେ ଗୁରୁବାର ଠାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣଳାୟର ସୂଚନା ମୁତାବକ ତୃତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ୧୫.୨୮ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଏହାସହ ଦେଶରେ ମୋଟ ୬.୭୫ କୋଟି ଲୋକଙ୍କୁ ଟିକା ଦିଆଯାଇଥିବା କଥା କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏହା ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ, ଆଗଧାଡିର କରୋନା ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଗତକାଲିଠାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି । ଦେଶରେ ଜାନ୍ରୁଆରୀ ୧୬ ତାରିଖରୁ ଟିକାକରଣ ଆରମ୍ଭ ହୋଇଛି । ଅନ୍ୟପଟେ ୨,୬୯, ୩୭୭ ଜଣ ଲୋକଙ୍କୁ ଟିକାର ଦ୍ୱିତୀୟ ଡୋଜ ଦିଆଯାଇଥିବା କଥା କୁହାଯାଇଛି ।

କହିରଖୁ କି କରୋନା ମହାମାରୀ ପୁଣିଥରେ ଦେଶରେ ତା’ର କାୟା ବିସ୍ତାର କରିଛି । ଏହାକୁ କରୋନାର ଦ୍ୱିତୀୟ ଲହର କୁହାଯାଉଥିବା ବେଳେ ଏହା ପ୍ରଥମ ଲହର ଠାରୁ ଖୁବ୍ ଶୀଘ୍ର ବ୍ୟାପୁଥିବା ଦେଖିବାକୁ ମିଳିଛି । ବୁଧବାର ଦିନ ପୁଣି ଦେଶରେ ୭୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ ଓ ପଞ୍ଜାବରୁ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ସରକାର ଟିକାକରଣକୁ ତ୍ୱରାନ୍ୱିତ କରିଛନ୍ତି ।