୯-୧୧ ଘଟଣାକୁ ପୂରିଲା ୨୦ ବର୍ଷ: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା ଆତଙ୍କୀ ସଂଗଠନ

74

କନକ ବ୍ୟୁରୋ: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣକୁ ପୂରିଛି ୨୦ ବର୍ଷ । ୨୦୦୧ ମସିହାରେ ଘଟିଥିଲା ଆମେରିକା ଇତିହାସରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ । ଏଥିପାଇଁ ଆତଙ୍କବାଦୀ ସଂଗଠନ ଅଲକାଏଦାକୁ ଦାୟୀ କରିଥିଲା ଆମେରିକା । ଏହାକୁ ନିପାତ କରିବାକୁ ଆଫଗାନିସ୍ତାନରେ ପାଦ ରଖିଥିଲା ଆମେରିକା ସେନା । ଆରମ୍ଭ ହୋଇଥିଲା ଅଲକାଏଦାକୁ ନିପାତ ମିଶନ ।

ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିଲା ଆମେରିକାର ନ୍ୟୁୟର୍କ ସିଟିରେ ଥିବା ବିଶ୍ୱ ବାଣିଜ୍ୟ କେନ୍ଦ୍ର । କିନ୍ତୁ ଆମେରିକା ଗୁଇନ୍ଦା ଏହାର ଟେର ବି ପାଇନଥିଲା । ୨୦୦୧ ମସିହା ସେପ୍ଟେମ୍ୱର ୧୧ ତାରିଖ, ସଂଧ୍ୟା ୬ଟା ୧୬ ମିନିଟ୍ ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ୧୧୦ ମହଲା ବିଶିଷ୍ଟ ଉତର ଟାୱାରର ୮୦ ତମ ମହଲାରେ ଧକ୍କା ହେଲା ଆମେରିକୀୟ ବୋଇଂ ବିମାନ ୭୬୭ । ପ୍ରାୟ ୨୦ ହଜାର ଗ୍ୟାଲନ ଗ୍ୟାସୋଲିନ୍ ଥିଲା ବିମାନରେ । ନର୍ଥ ଟାୱାରରେ ଧକ୍କା ହେବା ପରେ ପୁରା ଖେଳି ଯାଇଥିଲା ଆତଙ୍କ । ଠିକ୍ ଏହାର ୧୮ ମିନିଟ୍ ପରେ ଆଉ ଏକ ଆମେରିକୀୟ ବିମାନ ଧକ୍କା ହେଲା ଦକ୍ଷିଣ ଟାୱାରରେ ।

ଲଗାତର ଦୁଇଟି ବିମାନ ଆକ୍ରମଣରେ ଭୁଷୁଡି ପଡିଲା ବିଶ୍ୱ ବାଣିଜ୍ୟ କେନ୍ଦ୍ରର ବିଶାଳ ଆକାଶ ଛୁଆଁ ଟାୱାର । ୩ ହଜାର ଲୋକ ଜୀବନ ହରାଇଲେ, ୬ ହଜାରରୁ ଅଧିକ ଆହତ ହେଲେ । ବିଶ୍ୱ ବାଣିଜ୍ୟ କେନ୍ଦ୍ର ଆକ୍ରମଣର ଠିକ୍ ୧୫ ମିନିଟ୍ ପରେ ପେଂଟାଗନରେ ଆମେରିକା ପ୍ରତିରକ୍ଷା ବିଭାଗ କୋଠା ଉପରେ ମାଡ ହେଲା ଆଉ ଏକ ବିମାନ । ଏହି ସମସ୍ତ ବିମାନ ଧକ୍କା ସ୍ପଷ୍ଟ କରି ଦେଇଥିଲା ଆମେରିକା ଆସିଯାଇଛି ଆତଙ୍କବାଦୀଙ୍କ ଆକ୍ରମଣର ଟାର୍ଗେଟକୁ । ଅନୁସନ୍ଧାନରୁ ଜଣା ପଡିଲା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଆକ୍ରମଣ ପଛରେ ଅଛି ଆତଙ୍କି ସଂଗଠନ ଅଲକାଏଦା ।

– ଆମେରିକାରେ ୯/୧୧ ଆକ୍ରମଣ ପଛରେ ଥିଲା ଅଲକାଏଦା
– ପ୍ରାୟ ୧୯ଟି ଆତଙ୍କି ସଂଗଠନ ଏକାଠି ମିଶି କରିଥିଲେ ଷଡଯନ୍ତ୍ର
– ବିଶ୍ୱ ବାଣିଜ୍ୟ କେନ୍ଦ୍ର ଆକ୍ରମଣର ଷଡଯନ୍ତ୍ରକାରୀ ଥିଲା ଓସମା ବିନ୍ ଲାଡେନ

ମଧ୍ୟ ପ୍ରାଚ୍ୟରେ ଆମେରିକାର ସେନା ମୁତୟନ କରିଥିଲା । ଏହା ସହିତ ଇସ୍ରାଏଲକୁ ଖୋଲା ସମର୍ଥନ ଦେଇଥିଲା । ଏହାକୁ ନେଇ ଆମେରିକା ଉପରେ ଅସନ୍ତୁଷ୍ଟ ଥିଲେ ଆତଙ୍କୀ ସଂଗଠନ । ପ୍ରାୟ ୧୯ଟି ଆତଙ୍କୀ ସଂଗଠନର ସହାୟତାରେ ଆମେରିକା ୪ଟି ବିମାନ ଅପହରଣ କରି ଅଲକାଏଦା । ଏଇଟି ହୋଇଥିଲା ୯/୧୧ଆକ୍ରମଣ ଯୋଜନା । ଯାହା ପଛରେ ମୁଖ୍ୟ ମାଷ୍ଟରମାଇଁଣ୍ଡ ଥିଲା ଓସମା ବିନ୍ ଲାଡେନ ।

ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ ପେଂଟାଗନ ଆକ୍ରମଣ ପଛରେ ରହିଥିଲା ଅଲକାଏଦାର ହାତ । ସେତେବେଳେ ଆମେରିକା ରାଷ୍ଟ୍ରପତି ଡର୍ଜ ଡବ୍ଲୁ ବୁଶଙ୍କୁ ଆତଙ୍କ ବିରୋଧରେ ଯୁଦ୍ଧ ଅଭିଜାନ ଆରମ୍ଭ କଲା । ଅଲକାଏଦାର ଚରାଭୂଇଁ ଥିଲା ଆଫଗାନିସ୍ତାନ । ଅଲକାଏଦାର ମୁଖ୍ୟ ଥିଲା ଓସମା ବିନ୍ ଲାଡେନ । ଆମେରିକା ଉପରେ ଯେଉଁ ଆକ୍ରମଣ ହୋଇଥିଲା ଏହାର ସମସ୍ତ ଅର୍ଥ ଯୋଗାଇଥିଲା ଅଲକାଏଦା । ତେଣୁ ଅଲକାଏଦା ବିରୋଧରେ ଆମେରିକାର ଯୁଦ୍ଧ ଡାକରା । ୨୦୦୧ ମସିହା ଅକ୍ଟୋବର ମାସରେ ଆଫଗାନିସ୍ତାନ ମାଟିରେ ସୈନ୍ୟ ଓହ୍ଲାଇଲା ଆମେରିକା । ସେତେବେଳେ ଆମେରିକାର ଉଦେଶ୍ୟ ଥିଲା ଅଲକାଏଦାକୁ ମୂଳପୋଛ କରିବା । ଆଫାଗାନିସ୍ତାନ ମାଟିରୁ ଆତଙ୍କ ସଫା କରି ଏହାକୁ ନୂଆ କରି ଗଢି ତୋଳିବା । ଏଥିପାଇଁ ଆଫଗାନିସ୍ତାନରେ ସେତେବେଳେ କ୍ଷମତାରେ ଥିବା ତାଲିବାନକୁ ବିତାଡିତ କରି ସରକାର ଗଠନ କଲା ଆମେରିକା । ସେପଟେ ଆତଙ୍କ ବିରୋଧୀ ଯୁଦ୍ଧରେ ପ୍ରାୟ ୧ ଲକ୍ଷରୁ ଅଧିକ ସୈନ୍ୟ ସହିତ ୬୦ ନାଟୋ ଦେଶର ସୈନ୍ୟ ବି ମୁତୟନ ହେଲେ ଆଫଗାନିସ୍ତାନରେ ।

ମିଶନ ଆଫଗାନିସ୍ତାନରେ ଲାଡେନକୁ ନିପାତ କରିବା ପରେ ବି ଜାରି ରହିଲା ଆମେରିକାର ଆତଙ୍କ ବିରୋଧୀ ସୈନ୍ୟ ଅଭିଜାନ । କିନ୍ତୁ ପାକିସ୍ତାନ ମାଟିକୁ କେମିତି ଆସିଲା ଲାଡେନ ସେ ନେଇ ପାକିସ୍ତାନକୁ କିଛି ବି ପ୍ରଶ୍ନ କରିନଥିଲା ଆମେରିକା । ବରଂ ଏହା ପରେ ଆମେରିକାର ଆଭିମୁଖ୍ୟ କିଛି କିଛି ବଦଳିଗଲା । ୨୦୧୩ ମସିହାରେ ଓବାମା ଗସ୍ତ କରିଥିଲେ ଆଫଗାନିସ୍ତାନ । ଆଫଗାନ ରାଷ୍ଟ୍ରପତି ହମିଦ କର୍ଜାଇଙ୍କ ସହିତ ସାକ୍ଷାତ କରି ଆଲୋଚନା କରିବା ପରେ ଓବାମା ଘୋଷଣା କରିଦେଲେ , ଆଫଗାନିସ୍ତାନରେ ପାଦ ରଖିବାର ୨୦ ବର୍ଷ ବେଳକୁ ଆମେରିକା ଏହାର ପୁରା ସୈନ୍ୟ ଅପସାରଣ ଶେଷ କରିଦେବ । ଆଫଗାନିସ୍ତାନରେ ସରକାର ଭିତରେ ସ୍ଥାନ ଚାହୁଁଥିଲା ଆମେରିକା ସେନା । ତାହା ମିଳିଲାନି , ମିଶନ ଆଫଗାନିସ୍ତାନରେ ଆମେରିକା ଓ ଆଫଗାନିସ୍ତାନ ମଧ୍ୟରେ ଏହିଠାରୁ ଦେଖା ଦେଇଥିଲା ମତାନ୍ତର । ଲାଡେନକୁ ନିପାତ କରିଥିଲା ଆମେରିକା । ବାରାକ ଓବାମାଙ୍କ ଥିଲା ଏହା ସଫଳତା । ଓବାମାଙ୍କ ପରେ ଟ୍ରମ୍ପ ଆସିଲେ ଏହି ସୈନ୍ୟ ଅପସାରଣ ଆରମ୍ଭ କରିଦେଲେ । କାରଣ ଆମେରିକା ଜନତା ଚାହୁଁନଥିଲେ କୌଣସି ବିଦେଶୀ ରାଷ୍ଟ୍ର ପାଇଁ ବିଦେଶ ମାଟିରେ ଜୀବନ ଦିଅନ୍ତୁ ଆମେରିକା ସେନା ।

ଟ୍ରମ୍ପଙ୍କ ପରେ କ୍ଷମତାକୁ ଆସିଲେ ରାଷ୍ଟ୍ରପତି ଜୋ ବାଇଡେନ । ସେ ଆଫଗାନିସ୍ତାନରୁ ପୁରା ସୈନ୍ୟ ଅପସାରଣ କରିଦେଲେ । ଶେଷ ପର୍ଯ୍ୟାୟରେ ବାରଗ୍ରାମ୍ ଏୟାରବେଶ୍ ଛାଡିବା ପରେ ଆମେରିକା ସୈନ୍ୟ ଅପସାରଣ ଏକପ୍ରକାର ଚୂଡାନ୍ତ ହୋଇଯାଇଥିଲା । ୨୦୨୧ ଅଗଷ୍ଟ ୩୦ ତାରିଖରେ ତାଲିବାନ କବଳରେ ଥିବା ଆଫଗାନିସ୍ତାନରୁ ଏୟାରଲିଫ୍ଟ ଶେଷ କରି ବାଇଡେନ ସରକାର ଆମେରିକାର ସୈନ୍ୟ ଅପସାରଣ ଶେଷ କରିଦେଲେ ।

୯/୧୧ ଆକ୍ରମଣକୁ ୨୦୨୧ରେ ପୁରିଛି ୨୦ ବର୍ଷ । ଆତଙ୍କବାଦକୁ ଲୋପ କରିବାକୁ ମିଶନ ଆଫଗାନିସ୍ତାନ ଆରମ୍ଭ କରିଥିଲା ଆମେରିକା । ହେଲେ ୨୦ ବର୍ଷରେ ଏତେ ବଡ ସୈନ୍ୟ ଅପସାରଣ ପରେ ବି ଫଳ କିଛି ମିଳିନଥିବା ପରି ମନେ ହେଉଛି । କାରଣ ୨୦ ବର୍ଷ ତଳେ ଆଫଗାନିସ୍ତାନ ଯେମିତି ତାଲିବାନୀଙ୍କ କବଜାରେ ଥିଲା. ଆମେରିକା ସୈନ୍ୟ ଅପସାରଣ ପରେ ଠିକ୍ ସେମିତି ଆଫଗାନିସ୍ତାନ ତାଲିବାନ ଦଖଲକୁ ଚାଲି ଆସିଛି ।