ସିବିଏସଇ ପରୀକ୍ଷାରେ ୮୮% ମାର୍କ ରଖି ଉଦାହରଣ ସୃଷ୍ଟି କଲେ ରାହୁଲ! ଜନ୍ମରୁ ଦୃଷ୍ଟିହୀନ ଥିବା ରାହୁଲଙ୍କ ଘରେ ଖୁସିର ମାହୋଲ ।

43

କଥାରେ ଅଛି ମନରେ ଦୃଢ ସଂକଳ୍ପ ଥିଲେ ଶାରୀରିକ ଅକ୍ଷମତା ମଧ୍ୟ ନତମସ୍ତକ ହୋଇଥାଏ । ଏହି ନୀତିବାଣୀକୁ ଚରିତାର୍ଥ କରି ଦେଖାଇଛନ୍ତି ନୂଆଦିଲ୍ଲୀର ରାଜପାଲ୍ ଡିଏଭି ପବ୍ଲିକ୍ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ରାହୁଲ ଜୈନ । ରାହୁଲ ଜଣେ ଦୃଷ୍ଟିହୀନ ଛାତ୍ର ହୋଇଥିବାରୁ ସେ ଜନ୍ମହେବା ପରେ ବାପା ମା’ଙ୍କ ଚିନ୍ତାର କାରଣ ପାଲଟିଥିଲେ । ଖାସ୍ କଥା ହେଉଛି ବାଣିଜ୍ୟ ପାଠ୍ୟକ୍ରମରେ ତାଙ୍କୁ ୯୯ ମାର୍କ ମିଳିଛି । ସେ ଲିପିକ ମାଧ୍ୟମରେ ପରୀକ୍ଷା ଦେଇଥିଲେ । ରାହୁଲଙ୍କୁ ଏ ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ , ପିଲାଟି ଦିନରୁ ବାପା ମା’ ମୋତେ କହି ଆସୁଥିଲେ ମୋ ପାଖରେ ଶୁଣିବା ଏବଂ ବୁଝିବା ଗୁଣ ବହୁତ ଅଛି ତେଣୁ ସେମାନେ ମୋତେ ଦେଖିବା ଶକ୍ତି ଉପରେ ଗୁରୁତ୍ୱ ଦେବାକୁ କହୁନଥିଲେ । ମୁଁ ମଧ୍ୟ ସେମାନଙ୍କ କଥା ଶୁଣି ଏହି କଥାକୁ ନିଜ ଜୀବନରେ ପ୍ରୟୋଗ କଲି ଏବଂ ସଫଳ ହେଲି ।

ରାହୁଲ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ଠାରୁ ଅଧିକ ପରିଶ୍ରମ କରିଥାନ୍ତି । ସାଧାରଣ ଛାତ୍ରଛାତ୍ରୀମାନଙ୍କଠାରୁ ବହୁ ପୂର୍ବରୁ ତାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ପଡିଥାଏ । ଏହାପରେ ସେ ଆଇଟିରେ ପଢିବା ପାଇଁ ଇଚ୍ଛା ରଖିଛନ୍ତି । ରାହୁଲଙ୍କ ବଡ ଭଇଣୀ ନେହା ରାହୁଲଙ୍କ ପଢିବାରେ ସାହାଯ୍ୟ କରିଥାନ୍ତି ଯାହାଦ୍ୱାରା ତାଙ୍କୁ ପଢିବାରେ ସୁବିଧା ହୋଇଥାଏ । ସେ ନିଜ ସଫଳତାର ଶ୍ରେୟ ବଡ ଭଉଣୀ,ବାପା ମା’, ସାଙ୍ଗସାଥୀ ଏବଂ ଶିକ୍ଷକଙ୍କୁ ଦେଇଛନ୍ତି । ତାଙ୍କୁ ଛୋଟବେଳୁ ହିଁ ଏହିଭଳି ବହି ଦିଆଯାଉଥିଲା ଯାହାକୁ ଛୁଇଁ ସେ ପଢିପାରୁଥିଲେ । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରେଣୁ ଲାରୋଇଆ ମଧ୍ୟ ତାଙ୍କୁ ପଢିବା ପାଇଁ ଉତ୍ସାହିତ କରି ଆସୁଥିଲେ । ଯାହାର ଫଳସ୍ୱରୁପ ସେ ଆଜି ଭଲ ଅଙ୍କ ରଖି ପାସ୍ କରିଛନ୍ତି ।