କନକ ବ୍ୟୁରୋ: ମଦୁଆ ଚାଳକଙ୍କୁ ମାଫ ନାହିଁ । ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ନିସ୍ତାର ଦେଉନି ପୋଲିସ । ମଦୁଆ ଡ୍ରାଇଭରଙ୍କୁ ଯେଉଁଠି ଦେଖୁଛି ଗୋଡେଇ ଗୋଡେଇ ଗିରଫ କରୁଛି ପୋଲିସ । ଟ୍ରାଫିକ ନିୟମ ଟାଇଟ ହେବା ପରେ ଏବେ ପୋଲିସର ପ୍ରଥମ ଟାର୍ଗେଟ ମଦୁଆ ଡ୍ରାଇଭର ।ତେବେ ବିଗତ ୩ ମାସରେ ମଦୁଆ ଡ୍ରାଇଭରଙ୍କୁ ଗୋଡେଇ ଗୋଡେଇ ବାନ୍ଧିଛି ପୋଲିସ । ୩ ମାସରେ ମୋଟ ୮୫୮୩ ଜଣ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି । ସାରା ରାଜ୍ୟରୁ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ମୋଟ ୮୫୮୩ ଜଣଙ୍କୁ ଗିରଫ କରାଯାଇଛି ।

Advertisment

publive-image

ସେହିପରି ସେପ୍ଟେମ୍ବର ମାସରେ ୨୩୯୪ ଜଣ, ଅକ୍ଟୋବର ମାସରେ ୩୪୬୨ ଜଣ ଏବଂ ନଭେମ୍ବରରେ ୨୭୨୭ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫକରିଛି ପୋଲିସ । ତେବେ ଗିରଫ ହୋଇଥିବା ମଦୁଆ ଚାଳକଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ଅଛନ୍ତି । ସେପ୍ଟେମ୍ବରରେ ୪୭୫ ଜଣ, ଅକ୍ଟୋବରରେ ୭୧୬ ଜଣ ଏବଂ ନଭେମ୍ବରରେ ୬୦୮ ଜଣ ଗିରଫ ହୋଇଥିବା ବେଳେ ଭୁବନେଶ୍ୱର, କଟକରେ ମଦୁଆ ଡ୍ରାଇଭରଙ୍କ ସଂଖ୍ୟା ଅନ୍ୟ ସ୍ଥାନ ଅପେକ୍ଷା କମିଛି ।

publive-image

ତେବେ ଗିରଫ ସଂଖ୍ୟାକୁ ଯଦି ଦେଖାଯାଏ ତାହାଲେ ନିୟମ କଡାକଡି ପରେ ହିଁ ମଦୁଆ ଡ୍ରାଇଭରଙ୍କ ସଂଖ୍ୟା ହୁହୁ ହୋଇ ବଢିଛି । ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ମଦ୍ୟପ ଚାଳକ ହଠାତ ବଢିଛନ୍ତି । ଆଉ ସେପଟେ ରାଜ୍ୟ ସରକାର ନିୟମକୁ ୩ ମାସ ପାଇଁ କୋହଳ କରିଦେବା ପରେ ସେପ୍ଟେମ୍ବର ଅପେକ୍ଷା ଅକ୍ଟୋବରରେ ମଦୁଆଙ୍କ ମାତ୍ରା ସୀମା ପାର ହୋଇଛି । କୋହଳର ସମୟ ସୀମା ଧିରେଧିରେ ସରି ସରି ଆସୁଥିବାରୁ ଲୋକେ ସାମାନ୍ୟ ସଚେତନ ହୋଇ ଗାଡି ଚଳାଉଛନ୍ତି । ଯେଉଁଥିପାଇଁ ନଭେମ୍ବର ମାସରେ ମଦୁଆଙ୍କ ସଂଖ୍ୟା ଅନ୍ୟ ଦୁଇ ମାସ ତୁଳନାରେ କମିଛି ।

ଯଦି ରାଜ୍ୟବ୍ୟାପୀ ମଦୁଆ ଡ୍ରାଇଭରଙ୍କ ହିସାବ ନିଆଯାଏ ତେବେ ସେପ୍ଟେମ୍ବର ମାସରେ ଯାଜପୁରରେ ୨୯୦, ସମ୍ବଲପୁରରେ ୧୬୩, ଢେଙ୍କାନାଳରେ ୧୧୨, ଅନୁଗୁଳ ୧୨୦, ଗଞ୍ଜାମ ୪୭୫, ଗଜପତି ୧୨୮, ବାଲେଶ୍ୱର ୨୦ ଜଣ ଗିରଫ ହୋଇଛନ୍ତି ।

ଅକ୍ଟୋବରରେ ଯାଜପୁରରେ ୩୪୫, ମୟୂରଭଞ୍ଜରେ ୬୧୧, ଢେଙ୍କାନାଳ ୧୩୭, ଅନୁଗୁଳ ୨୭୫, ଗଞ୍ଜାମ ୭୧୬, ସୁନ୍ଦରଗଡ ୧୬୦, ବାଲେଶ୍ୱର ୫୧ଜଣ ଗିରଫ ହୋଇଛନ୍ତି ।

ସେହିପରି ନଭେମ୍ବରରେ ଯାଜପୁରରେ ୨୩୧, ମୟୂରଭଞ୍ଜରେ ୩୫୯, ଅନୁଗୁଳରେ ୧୬୪, ଗଞ୍ଜାମରେ ୬୦୮ ଏବଂ କେନ୍ଦୁଝରରେ ୧୦୯ ଜଣବନ୍ଧା ହୋଇଛନ୍ତି ।

ତେବେ ମଦୁଆ ଡ୍ରାଇଭରଙ୍କ ଗିରଫ ପରେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହେଉଛି କି ସରକାର ଟିକେ କୋହଳ କଲେ ମଦୁଆଙ୍କ ମାତ୍ରା ବଢୁଛି । ନିୟମକୁ ସାମାନ୍ୟ ହାଲୁକା କରିଦେଲେ ରାସ୍ତାରେ ହାଉଯାଉ ହେଉଛନ୍ତି ମଦୁଆ ଚାଳକ । ତେବେ ଏଠି ପ୍ରଶ୍ନ ଉଠୁଛି ମଦୁଆଙ୍କ ପାଇଁ କଣ ସବୁବେଳେ ରାସ୍ତାରେ ଜଗିବେ ପୋଲିସ ? ଆଙ୍ଗୁଳି ଦେଖାଇଲେ ବାହା ଗିଳିଦେବାଟା କଣ ଠିକ? ଯେତେବେଳେ ପୋଲିସ ନାଲି ଆଖି ଦେଖାଇବା କମାଇ ଦେଉଛି ସେତେବେଳେ ଲୋକେ ମଦ ପିଇ ଆଖିକୁ ନାଲି କରି ଗାଡି ଚଳାଇବା କେତେ ଦୂର ଯୁକ୍ତିଯୁକ୍ତ? ମଦୁଆ ଡ୍ରାଇଭର ନିଜ ଜୀବନ ସହ ଅନ୍ୟ ଜୀବନ ପାଇଁ କଣ ସୁଧୁରିବେନି ?