ଜଳ ନେଉଛି ହଜାର ହଜାର ଜୀବନ । ଗତ ୬ ବର୍ଷରେ ଜଳ ନେଇଛି ନେଇଛି କେତେ ଜୀବନ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ।

76

କନକ ବ୍ୟୁରୋ : ଜଳ ନେଉଛି ଜୀବନ । ଗତ ୬ ବର୍ଷ ମଧ୍ୟରେ ଜଳ ନେଇଛି ହଜାର ହଜାର ଜୀବନ । ପ୍ରତିବର୍ଷ ଏହି ସଂଖ୍ୟାରେ ବୃଦ୍ଧି ହୋଇ ଚାଲିଛି । ଗତ ୬ ବର୍ଷ ମଧ୍ୟରେ ପାଣିରେ ବୁଡି ଜୀବନ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଏନେଇ ଆଜି ଗୃହରେ ପ୍ରଶ୍ନ ରଖିଥିଲେ ବିଧାୟକ ସୁକାନ୍ତ ନାୟକ । ୨୦୧୬-୧୭ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟରେ କେତେ ଜଣ ପାଣିରେ ବୁଡି ଜୀବନ ହରାଇଛନ୍ତି ଓ କେଉଁ ବର୍ଷ ଏହାର ସଂଖ୍ୟା କେତେ ସେନେଇ ପ୍ରଶ୍ନ କରିଥିଲେ ସୁକାନ୍ତ । ଏହାର ଲିଖିତ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ରାଜ୍ୟରେ ୨୦୧୬ରୁ ୨୦୨୧ ମଧ୍ୟରେ ୮୫୦୬ ଜଣଙ୍କର ଜୀବନ ପାଣିରେ ବୁଡି ଯାଇଛି ।

ଏହାସହ ମନ୍ତ୍ରୀ ବର୍ଷୱାରୀ ତଥ୍ୟ ମଧ୍ୟ ବିଧାନସଭାରେ ରଖିଛନ୍ତି । ମନ୍ତ୍ରୀ ତୁଷାରକାନ୍ତି କହିଛନ୍ତି, ୨୦୧୬ରେ ୯୩୫, ୨୦୧୭ରେ ୧୦୭୯, ୨୦୧୮ରେ ୧୪୦୬, ୨୦୧୯ରେ ୧୪୪୧, ୨୦୨୦ରେ ୧୮୪୦ ଓ ୨୦୨୧ରେ ୧୮୦୫ ଜଣଙ୍କର ଜୀବନ ଯାଇଛି ।