ବୟସ ୮୫ ଡେଇଁଲାଣି, କିନ୍ତୁ ସେ ବୃଦ୍ଧ ନୁହନ୍ତି । ସବୁଦିନ ସକାଳୁ ୨୦ କିଲୋମିଟର ଚାଲୁଛନ୍ତି, ୪୦ ପ୍ରକାରର ଯୋଗ କରୁଛନ୍ତି । ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଶ୍ରୀଧର ମଉସା ।

1,032

କନକ ବ୍ୟୁରୋ : ବୟସ ୮୫ ଡେଇଁଲାଣି, କିନ୍ତୁ କେହି ତାଙ୍କୁ ବୁଢା ବୋଲି କୁହନ୍ତିନି । ୮୫ ବର୍ଷ ବୟସରେ ବି ୨୫ ବର୍ଷର ଯୁବକ ଭଳି ସେ ସବୁ କାମ କରିପାରନ୍ତି । ଇଏ ହେଉଛନ୍ତି ରାଉରକେଲାର ଶ୍ରୀଧର ପ୍ରସାଦ ଦାସ । ଲୋକେ ତାଙ୍କୁ ଶ୍ରୀଧର ମଉସା ବୋଲି ଡାକନ୍ତି । ଶ୍ରୀଧର ମଉସା ପ୍ରତିଦିନ ପ୍ରାୟ ୨୦ କିଲୋମିଟର ଚାଲିବା ସହ ଦୁଇ ଓଳି ଯୋଗ କରିବାକୁ ଭୁଲନ୍ତି ନାହିଁ ।

ପ୍ରାଣାୟମ୍, କପାଳ ଭାତି, ଅନୁଲୋମ ବିଲୋମ ଭଳି ପାଖାପାଖି ୪୦ରୁ ଅଧିକ ଯୋଗାସନ କରିଥାନ୍ତି ଶ୍ରୀଧର ମଉସା । ଯେଉଁ ବୟସରେ ଅଂଟା ସଳଖି ଚାଲିବା ସହଜ ହୁଏନା, ଆଉ ଦେହରୁ ବଳ ସରି ସରି ଆସେ, ସେହି ପରିଣତ ବୟସରେ ଦିନକୁ ୨୦କିଲୋମିଟର ଚାଲିଥାନ୍ତି ଶ୍ରୀଧର ମଉସା ।

ସକାଳ ହେଉ ହେଉ ସବୁ ନିତ୍ୟକର୍ମ ଶେଷ କରି ଯୋଗ କରିବାକୁ ବାହାରି ଯାଆନ୍ତି ଶ୍ରୀଧର ମଉସା । ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବା କାରଣରୁ ସେ ଠିକ୍ ଭାବେ ଚଲାବୁଲା କରିପାରନ୍ତି ନାହିଁ । ତଥାପି ବାଡ଼ି ଖଣ୍ଡିଏ ଧରି ରାସ୍ତାରେ ଚାଲିଥାନ୍ତି । କେବଳ ଏତିକି ନୁହେଁ, ନିଜ ବାଡିରେ ପନିପରିବା ଚାଷ କରି ନିଜେ ରକ୍ଷଣାବେକ୍ଷଣ ମଧ୍ୟ କରୁଛନ୍ତି ।

କେନ୍ଦ୍ରାପଡା ଅଂଚଳର ମୂଳବାସିନ୍ଦା ଶ୍ରୀଧର ମଉସା ୧୯୫୮ ମସିହାରେ ଚାକିରି ଆଶାରେ ରାଉରକେଲା ଚାଲିଆସିଥିଲେ । ଆରଏସପିରେ ତାଙ୍କୁ ଚାକିରି ମଧ୍ୟ ମିଳିଥିଲା । ତେବେ ଦୁର୍ଘଟଣାର ଶିକାର ହେବା ପରେ ନିଜେ ଚାକିରିରୁ ଅବସର ନେଇଯାଇଥିଲେ । କିନ୍ତୁ ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ କେବେ ବି ଅସୁସ୍ଥ ହୋଇନାହାନ୍ତି ।

୧୯୬୫ମସିହାରୁ ଏମିତି ଯୋଗ କରୁଥିବା କହିଛନ୍ତି ଶ୍ରୀଧର ମଉସା । ଷ୍ଟିଲସିଟିର ଶ୍ରୀଧର ମଉସା ପରିଣତ ବୟସରେ ମଧ୍ୟ ଫିଟ୍ ରହିଛନ୍ତି । ଚାଲିଚଳନ ଓ ଯୋଗଭ୍ୟାସ ନେଇ ଚର୍ଚ୍ଚାରେ ଥିବାବେଳେ ଯୁବବର୍ଗଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣା । ଶ୍ରୀଧର ମଉସାଙ୍କ ଏଇ କାହାଣୀ ଆଜି ସମାଜ ପାଇଁ ସାଜିଛି ଉଦାହରଣ ।