ମୋ ସମୟ ସରିଲାଣି, ତାଙ୍କୁ ମୋ ବେଡ୍ ଦେଇଦିଅ… ତାଙ୍କୁ ଜିଇଁବାର ଅଛି ଅନେକ ଦିନ । ହସ୍ପିଟାଲରେ ଯୁବକ ପାଇଁ ବେଡ୍ ଛାଡି ଦେଇ ନିଜେ ଆଖିବୁଜିଲେ ନାରାୟଣ ।

335

କନକ ବ୍ୟୁରୋ: ମୁଁ ୮୫ ବର୍ଷର ହୋଇଗଲିଣି, ଅଧାରୁ ଅଧିକ ଜୀବନ ଜିଁ ସାରିଲିଣି । ମୋ ଜୀବନ ଅପେକ୍ଷା ଏ ଯୁବକର ଜୀବନ ଅଧିକ ମୂଲ୍ୟବାନ । କାରଣ ଏ ଲୋକଟିର ଛୋଟ ଛୋଟ ପିଲା ଦୁଇଟା ଅଛନ୍ତି, ମୁଁ ସ୍ୱଇଚ୍ଛାରେ କହୁଛି…ମୋତେ ବେଡ୍ ଦିଅନ୍ତୁନି ବରଂ ଦୟାକରି ମୋ ବେଡ୍ ଏ ଲୋକଙ୍କୁ ଦେଇ ଦିଅନ୍ତୁ ।

ମହାମାରୀ ଯୋଗୁଁ ଆଖିରୁ ଝରୁଥିବା ଅକ୍ସିଜେନର ଅକୁହା ଲୁହକୁ ହୁଏତ ଏଇ କେଇ ପଦ ମର୍ମସ୍ପର୍ଶୀ କଥା ପୋଛିଦେଇପାରେ । କାରଣ ଜଣେ ୮୫ ବର୍ଷୀୟ ବୃଦ୍ଧ ନିଜ ଜୀବନକୁ ଯମ ହାତରେ ଦାନ କଲା ଭଳି ଅନ୍ୟ ଜଣକୁ ଆଇସିୟୁ ବେଡ୍ ଦେଇ ଆଖି ବୁଜିଦେଲେ । ଆଉ ମୃତ୍ୟୁ ପୂର୍ବରୁ ମହାମାରୀ ଭିତରେ ମଣିଷପଣିଆର ମୂଳ ମନ୍ତ୍ର ଶିଖାଇଚାଲିଗଲେ ।

କରୋନା କାଳରେ ବେଡ୍ ପାଇଁ ଲୋକମାନେ ହସ୍ପିଟାଲରୁ ହସ୍ପିଟାଲ ହତାଶ ହେଉଥିବାବେଳେ ବଡ଼ପଣ ଦେଖାଇ ମହାରାଷ୍ଟ୍ରର ନାରାୟଣ ଭାଓରାଓ ଦାଭାଡକର ୪୦ ବର୍ଷୀୟ ମହିଳାଙ୍କୁ ନିଜ ବେଡ୍ ଦାନ କରିଦେଲେ । ଆଉ ବେଡ୍ ଦାନ କରି ହସ୍ପିଟାଲରୁ ଫେରିଆସିଥିଲେ ନାରାୟଣ । ହେଲେ ହୁଏତ ଯମ ଜଗିବସିଥିଲା ନାରାୟଣଙ୍କୁ ନେବା ପାଇଁ, ଡାକ୍ତରଖାନାରୁ ଫେରିଆସିବାର ମାତ୍ର ୭୨ ଘଣ୍ଟା ଭିତରେ ଚିରନିଦ୍ରାରେ ଶୋଇପଡ଼ିଲେ ସାହାଯ୍ୟର ସାକ୍ଷାତ ଦେବତା ।

ପିଲାଙ୍କ ଗହଣରେ ଚକଲେଟ୍ ଚାଚା ଭାବେ ପରିଚିତ ଥିବା ନାରାୟଣ ଭାଓରାଓ ସ୍ୱଇଚ୍ଛାରେ ନିଜର ବେଡ୍ ଦାନ କରିଥିଲେ । ମହିଳା ଜଣକ ଯେତେବେଳେ ନିଜ ସିନ୍ଦୂରର ସୁରକ୍ଷା ପାଇଁ ଦ୍ୱିତୀୟ ଭଗବାନଙ୍କ ପାଦ ତଳେ ପଡ଼ି ବେଡ୍ ପାଇଁ ନେହୁରା ହେଉଥିଲେ । ଏହାକୁ ଦେଖି କୋହ ସମ୍ଭାଳି ପାରିନଥିଲେ ନାରାୟଣ । ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରି ସେ ମହିଳା ଜଣକର ସ୍ୱାମୀ ପାଇଁ ବେଡ୍ ଦେବାକୁ କହିଥିଲେ । ଆଉ ଘରକୁ ଫେରିବା ପରେ ଚକଲେଟ୍ ଚାଚା ସବୁଦିନ ପାଇଁ ଚାଲିଗଲେ ।

ତେବେ ୮୫ ବର୍ଷର ନାରାୟଣ ଅନ୍ୟକୁ ସାହାଯ୍ୟ କରି ଆଖିବୁଜିଦେଲେ ସତ କିନ୍ତୁ ଅନ୍ୟପଟେ ଖୋଲି ଦେଇଗଲେ ସରକାର ପିନ୍ଧିଥିବା ସଂକ୍ରମଣ ଭରା ମୁଖା । ଯେଉଁ ମୁଖାକୁ ମୁହଁରେ ଦେଇ ମହାମାରୀରେ ସବୁକିଛି ଠିକ୍ ଅଛି ବୋଲି ଫମ୍ପା ଭାଷଣ ଦେଉଛନ୍ତି, ସେମାନଙ୍କ ମନଗଢ଼ା କାହାଣୀ ପଛରେ କରୋନାର କେତେ ଦାରୁଣ ଦୁଃଖ ସବୁ ଯୋଡ଼ି ହେଇଯାଉଛି ତାହାର ଏକ ବଡ଼ ଖୁଲାସା ହୋଇଛି । ହେଲେ ସଂକ୍ରମଣ ଭିତରେ ଏଭଳି ଉଦାରତା ମଣିଷ ସମାଜର ମନରୁ ନା କେବେ ଲିଭିବେ ନା କେହି କେବେ ଭୁଲିବେ ।