ପୁଣି ଘାରିଲା ମାଓବାଦୀ ଭୟ : ଜୀବନ ବଂଚାଇବାକୁ ଯାଇ ଭିଟାମାଟି ଛାଡିଲେ ଚିତ୍ରକୋଣ୍ଡା ଅଂଚଳର ୮୫ ପରିବାର, ରାଜୁଲକୋଣ୍ଡାରେ ନେଇଛନ୍ତି ଆଶ୍ରୟ

65

କନକ ବ୍ୟୁରୋ : ପୁଣି ଘରିଲା ମାଓବାଦୀଙ୍କ ଭୟ । ଫଳରେ ସ୍ୱାଭିମାନ ଅଂଚଳର ୮୫ ପରିବାର ଭିଟାମାଟି ଛାଡିଛନ୍ତି । ଦୁଇ ଦିନ ହେଲାଣି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ଥିବା ସରକାରୀ ଫଳ ବଗିଚା ନିକଟରେ ରହୁଛନ୍ତି । ସେମାନଙ୍କ କହିବା ଅନୁସାରେ, ତାଙ୍କ ଉପରେ ସବୁ ବେଳେ ମାଓବାଦୀଙ୍କ ଚାପ ଓ ଭୟ ରହୁଛି । ଏହା ସେମାନଙ୍କ ଜୀବନକୁ କଷ୍ଟକର କରିଦେଉଛି । ତେଣୁ ସେମାନେ ନିଜ ଜୀବନ ଜିଇଁବା ପାଇ ଭିଟାମାଟି ଛାଡିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏମାନେ ସମସ୍ତେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡାମ୍ବ, ପନସପୁଟ୍, ଅଣ୍ଡରାପାଲି ଓ ନାକାମାମୁଡି ପଂଚାୟତ ବାସିନ୍ଦା । ଏବେ ଏମାନଙ୍କ ସହ ପ୍ରଶାସନ ଆଲୋଚନା କରି ପଦକ୍ଷେପ ନେବାକୁ ଦାବି ହେଉଛି ।

ସ୍ବାଭିମାନ ଅଞ୍ଚଳରେ ଚାଲିଛି ଶକ୍ତି ପ୍ରଦର୍ଶନ । ସୁରକ୍ଷା କର୍ମୀ ଏହି ଅଞ୍ଚଳକୁ ଘେରିବା ପରେ ପଛଘୁଞ୍ଚା ଦେଇଥିଲେ ନକ୍ସଲ । ତଥାପି ମଝିରେ ମଝିରେ ଆସି ନକ୍ସଲ ଏଠାରେ ଲୋକଙ୍କୁ ବଳପୂର୍ବକ ସମର୍ଥନ ଦେବାକୁ ଧମକାଉଛନ୍ତି । ଏପରିକି ଗାଁ ଛାଡ଼ି ବାହାରକୁ ଯିବା ପାଇଁ ନକ୍ସଲ ବାରଣ କରିଛନ୍ତି । ଏମିତିସ୍ଥିତିରେ ଆତଙ୍କର ବାତାବରଣ ମଧ୍ୟରେ ରହିଛନ୍ତି ଲୋକ । ଏମିତି ଆତଙ୍କିତ ଅବସ୍ଥାରେ ଆଉ ନ ରହିବାକୁ ନିଷ୍ପତ୍ତି ନେଇ ୭ଟି ପଞ୍ଚାୟତର ୮୫ ପରିବାର ଗ୍ରାମ ଛାଡ଼ିଛନ୍ତି । ଯଡ଼ାମ୍ବ ପଞ୍ଚାୟତର ତାରାବେଡ଼ା, ବିହନଗୁଡ଼ି, ପୁଡ଼ଖାଲ, ଦୋରାଗୁଡ଼ା, ପୂଜାରୀଗୁଡ଼ା, ଖଜୁରିଗୁଡ଼ା, ତାଡ଼ିଗୁଡ଼ା, ମାଟିଖାଲ, ଡୋଲିଆମ୍ବ, ଡାଲଗୁଡ଼ା, ପାଲସପଦର, ତାଡ଼ପଦର ଗ୍ରାମର ପ୍ରାୟ ୬୭ ପରିବାର ଗାଁ ଛାଡ଼ିଛନ୍ତି ।

ସେହିପରି ପଣସପୁଟ ପଞ୍ଚାୟତର ଡଙ୍ଗାପଦର, ବେଜିଂ, ବଡ଼ପୁଟ, ମୁତାଆମ୍ବ ଗାଁର ୮ ପରିବାର ସୁରକ୍ଷିତ ଆଶ୍ରୟ ଖୋଜୁଛନ୍ତି । ବଡ଼ପଦର ପଞ୍ଚାୟତର ୪ ପରିବାର, ଅଣ୍ଡ୍ରାପାଲୀ ପଞ୍ଚାୟତର ୭ ପରିବାର, ବଡ଼ପଡ଼ା ପଞ୍ଚାୟତର ୪ ପରିବାର, ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ଗୋଣ୍ଡିଆପଡ଼ା ଗ୍ରାମର ୪ ପରିବାର ଏବଂ ଡୁମୁରିପୁଟ ଗ୍ରାମର ୨ ପରିବାର ବି ଚିତ୍ରକୋଣ୍ଡା ନିକଟସ୍ଥ ରାଜୁଲକୋଣ୍ଡାରେ ଆଶ୍ରୟ ନେଇଛନ୍ତି । ତେବେ ଯଡ଼ାମ୍ବ ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ ପରିବାର ଏକକାଳୀନ ଗାଁ ଛାଡ଼ିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଅଞ୍ଚଳ ପୂର୍ବରୁ ସଂପୂର୍ଣ୍ଣ ନକ୍ସଲଙ୍କ ଦଖଲରେ ରହିଥିଲା ।

ତେବେ କିଛିଦିନ ତଳେ ପୂରା ପଞ୍ଚାୟତକୁ ଅକ୍ତିଆରକୁ ନେଇଥିଲେ ସୁରକ୍ଷା କର୍ମୀ । ଏହି ଅଞ୍ଚଳରେ ବିଏସ୍‌ଏଫ କ୍ୟାମ୍ପ ପ୍ରତିଷ୍ଠା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତଥାପି ଲୋକେ ଗାଁ ଛାଡ଼ି ଏବେ ସୁରକ୍ଷା ଖୋଜୁଛନ୍ତି । ଏହି ଗ୍ରାମର ଲୋକ ପୁଲିସକୁ ସମର୍ଥନ କରିବା ସହ ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ ପାଇଁ ପ୍ରଶାସନକୁ ସମର୍ଥନ କରିବାରୁ ନକ୍ସଲଙ୍କ ଟାର୍ଗେଟରେ ରହିଥିବା କୁହାଯାଉଛି । ଏପରିକି ଅଞ୍ଚଳର ଜଣେ ବି ନିରୀହ ଲୋକ ଆକ୍ରୋଶର ଶିକାର ନ ହୁଅନ୍ତୁ ବୋଲି ନିଷ୍ପତ୍ତି ନେଇ ଅଞ୍ଚଳବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।