ରାଜ୍ୟରେ ପୁଣି ୧୧୯ ପିଲାଙ୍କୁ କରୋନା । ୨୪ ଘଣ୍ଟା ମଧ୍ୟରେ ୮୪୯ ନୂଆ ଆକ୍ରାନ୍ତ,୬୯ ମୃତ୍ୟୁର ହିସାବ ଦେଲେ ସରକାର ।

105

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୨ ଜଣ, ବାଲେଶ୍ୱରରୁ ୩୧ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୧୦ ଜଣ, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧ ଜିଲ୍ଲାରୁ ୫, କଟକରୁ ୯୮ ଜଣ, ଦେବଗଡ଼ରୁ ୧୧ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୨୧ ଜଣ, ଯାଜପୁରରୁ ୩୨ ଜଣ, ଝାରସୁଗୁଡ଼ାରୁ ୧ ଜଣ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେଉଁଝରରୁ ୧୬ ଜଣ, ଖୋର୍ଦ୍ଧାରୁ ୩୬୧ ଜଣ, କୋରାପୁଟରୁ ୪ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୨୦ ଜଣ, ନୟାଗଡ଼ରୁ ୧୪ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୫ ଜଣ, ସୁନ୍ଦରଗଡ଼ରୁ ୧୬ ଜଣ ଓ ଷ୍ଟେଟ ପୁଲରୁ ୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦,୦୬,୫୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯,୯୦, ୭୯୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭,୮୨୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଅନ୍ୟପଟେ ଆଉ ୨ ଦିନ ପରେ ଶେଷ ହୋଇଯିବ ଅଗଷ୍ଟ କଟକଣା । ତେଣୁ ସେପ୍ଟେମ୍ବରରେ କ’ଣ ହେବ, ତାକୁ ନେଇ ଚର୍ଚ୍ଚା ଲାଗିରହିଛି । କଟକଣା ଆହୁରି କୋହଳ ହେବ, ନା ପାର୍ବଣକୁ ଦେଖି ସରକାର କଟକଣା ବଳବତର ରଖିବେ ତା ଉପରେ ନଜର ରହିଛି । ତେବେ ଏହାରି ଭିତରେ କରୋନାର ସଂକ୍ରମଣ କମୁଥିବା ଦେଖି ଅଗଷ୍ଟ ଗାଇଡଲାଇନରେ ଅନେକ କଟକଣା କୋହଳ କରିଥିଲେ ସରକାର । କିନ୍ତୁ ସାରାରାଜ୍ୟରେ ରାତି କର୍ଫ୍ୟୁ ବଳବତ୍ତର ରହିଥିଲା । ସେହିପରି କଟକ, ଭୁବନେଶ୍ୱର ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ ଜାରି କରାଯାଇଥିଲା । ଏବେ କିନ୍ତୁ କରୋନା ନିୟନ୍ତ୍ରଣକୁ ଆସିବାରେ ଲାଗିଛି ।

ଗତ କିଛିଦିନ ହେଲା ଲଗାତାର ୧ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ରାଜ୍ୟରେ ଟେଷ୍ଟ ପଜିଟିଭ ହାର ମଧ୍ୟ ୧ ପ୍ରତିଶତରେ ରହୁଛି । ସକ୍ରିୟ ସଂକ୍ରମଣ ଦୃଷ୍ଟିରୁ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି । କିନ୍ତୁ ଟିପିଆର ଦୃଷ୍ଟିରୁ ପୁରୀ ଓ ଖୋର୍ଦ୍ଧାକୁ ଛାଡି ଅନ୍ୟ ସବୁଜିଲ୍ଲା ମଧ୍ୟ ୨ ପ୍ରତିଶତ ତଳେ ରହୁଛି । ତେଣୁ ଅନୁମାନ କରାଯାଉଛି ସେପ୍ଟେମ୍ବର ଗାଇଡଲାଇନରେ ସରକାର ଅଗଷ୍ଟ କଟକଣାକୁ ଆହୁର କୋହଳ କରିପାରନ୍ତି । ଅର୍ଥାତ କଟକ, ଭୁବନେଶ୍ୱର ଓ ପୁରୀରେ ଶନିବାର ଓ ରବିବାର ସଟଡାଉନ କଟକଣାକୁ ହଟାଇ ଦିଆଯାଇପାରେ । ସେହିପରି ରାତି କର୍ଫ୍ୟୁକୁ କୋହଳ କରିବା ପାଇଁ ଚିନ୍ତା କରୁଛନ୍ତି ସରକାର । କିନ୍ତୁ ସଂପୂର୍ଣ୍ଣ ହଟାଯିବ ନାହିଁ ବୋଲି ଅନୁମାନ କରାଯାଉଛି । କାରଣ ଆଗକୁ ପାର୍ବଣ ଆସୁଛି । ପାର୍ବଣରେ କରୋନା ସଂକ୍ରମଣ ବଢିପାରେ ବୋଲି କେନ୍ଦ୍ର ସରକାର ସତର୍କ କରାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାତି କର୍ଫ୍ୟୁର ସମୟ ଅବଧି କମ କରିବାକୁ ଚିନ୍ତା କରିପାରନ୍ତି ସରକାର ।