କନକ ବ୍ୟୁରୋ : ରାଜ୍ୟରେ ୮୪୮ ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମତି ଦିଆଯାଇଛି । ଏହାଦ୍ୱାରା ୯ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ। ୨୧ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇସାରିଛି। ଗ୍ରାଉଣ୍ଡିଂ ଅଫ୍ ପ୍ରୋଜେକ୍ଟରେ ଓଡ଼ିଶା ଦେଶରେ ଏକ ନମ୍ବର। ଏମଏସଏମଇ ଓ ଶିଳ୍ପ ବିଭାଗ ମଧ୍ୟରେ ସମନ୍ଵୟ ରଖି ଆତ୍ମ ନିଯୁକ୍ତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଏନେଇ ଗୃହରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ପ୍ରଶ୍ନକାଳ ସମୟରେ ଏ ବାବଦରେ ସବିଶେଷ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ପ୍ରତି ଦୁଇ ବର୍ଷରେ ଥରେ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ହେବ । ଓଡ଼ିଶାର ଖଣି, ମେରାଇନ, ଶକ୍ତି, କୃଷି ପରି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ନୀତି ହୋଇଛି ଏବଂ ସବୁ ଜିଲ୍ଲାରେ ଇଣ୍ଡଷ୍ଟ୍ରି ହେବ । ଯାଜପୁର କଳିଙ୍ଗନଗର ଷ୍ଟିଲ ହେବ, ପାରାଦ୍ୱୀପରେ ହେବ ପେଟ୍ରୋ କେମିକାଲ ହବ, ସମ୍ବଲପୁର, ରେଙ୍ଗାଲି ହେବ ଷ୍ଟିଲ ଓ ଆଲୁମିନିଅମ ହବ । ଗୋପାଳପୁର ହେବ ଅକ୍ଷୟ ଶକ୍ତି ଉତ୍ପାଦନ ହବ୍ ।

ଓଡ଼ିଶା ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି । ପୁଞ୍ଜି ନିବେଶ ପୋର୍ଟାଲରେ ଆବେଦନ କଲେ, ୬୦ ଦିନ ଭିତରେ ମଞ୍ଜୁରି ମିଳୁଛି । ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି । ଜାତୀୟ ହାର ୨୧-୨୨% ଥିବାବେଳେ ଓଡ଼ିଶାରେ ୪୦% ରହିଛି । ମେକ ଇନ ଓଡ଼ିଶାରେ ୭୪୧ ପ୍ରସ୍ତାବ ଆସିଛି, ଯେଉଁଥିରେ ୪୬୬ ପ୍ରକଳ୍ପ ମଞ୍ଜୁରୀ ପାଇଛି । ଅନେକ ଶିଳ୍ପ ସଂସ୍ଥାକୁ ଜମି ହସ୍ତାନ୍ତର ବି ହୋଇ କାମ ଆରମ୍ଭ ହେଲାଣି । ଷ୍ଟାର୍ଟ ଅପ ନୀତି ବି ଏଥିରେ ବଡ଼ ଭୂମିକା ନେଇଛି ।

୨ ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ୨ ଦିନ ହେବ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହକୁ ଚଲାଇ ଦେଇନଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋ-ହଲ୍ଲା କରିଥିଲେ । ଯେଉଁଥିପାଇଁ ଗୃହକୁ ବାରମ୍ବାର ମୁଲତବି କରିବାକୁ ପଡିଥିଲା । ଏପରିକି ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ସୁରୁଖୁରରେ ଚଲାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏଥିରୁ କୌଣସି ନିଷ୍କର୍ସ ବାହାରିନଥିଲା । ତେବେ ୨ ଦିନର ଅଚଳାବସ୍ଥା ପରେ ପୁଣିଥରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି ।