କନକ ବ୍ୟୁରୋ: ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ । ସେ କହିଛନ୍ତି, ରାଜ୍ୟର ମୋଟ ଗ୍ରାମ୍ୟ ସଂଖ୍ୟା କେତେ ଓ ସେସବୁକୁ କେତୋଟି ସବୁଦିନିଆ ପିଚୁ ରାସ୍ତା ରହିଛି ଏବଂ କେତୋଟିକୁ ଏହି ସଂଯୋଗ ନାହିଁ । ସ୍ଥାୟୀ ରାସ୍ତା ସଂଯୋଗ ନଥିବା ଗ୍ରାମ ଗୁଡିକୁ ଏହି ସୁବିଧା ଯୋଗାଇବା ଲାଗି ଓ ଅନ୍ୟ ରାସ୍ତା ଗୁଡିକର ପ୍ରଶସ୍ତିକରଣ ତଥା ଉନ୍ନତିକରଣ ପାଇଁ କି ପ୍ରସ୍ତାବ ରହିଛି ?
ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ରାଜ୍ୟର ୮୩୦୦ ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା । ରାଜ୍ୟରେ ମୋଟ ୫୯,୯୭୧ ଗାଁ ଥିବା ବେଳେ ସେଥିରୁ ୫୧,୬୭୧ ଗାଁକୁ ସବୁ ଦିନିଆ ରାସ୍ତା ସଂଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମଞ୍ଜୁର ହୋଇଥିବା ଅସଂଯୋଜିତ ୧୨୨୬ଟି ଗାଁ ମଧ୍ୟରୁ ୧୨୨୬ ଗାଁକୁ ପିଚୁ ବା ପକ୍କା ରାସ୍ତା ଦ୍ଵାରା ରାସ୍ତା ସଂଯୋଗ ହୋଇଛି । ଅବଶିଷ୍ଟ ୩ଟି ଗାଁକୁ ରାସ୍ତା ସଂଯୋଗ କାମ ଚାଲୁଛି । ଏହି ଗାଁ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିର୍ମାଣ କରିବାର ଲକ୍ଷ୍ୟ ରହିଛି । ଅବଶିଷ୍ଟ ଗାଁକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ପର୍ଯ୍ୟାୟ କ୍ରମେ ବିଭିନ୍ନ ଯୋଜନାରେ ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।