ଆର୍ଶୀବାଦ ଯୋଜନାରେ ସାମିଲ ହେବା ପାଇଁ ୮ ହଜାର ୩୦୦ ପିଲା କରିଛନ୍ତି ଆବେଦନ  । ଉଠିଲା ପ୍ରଶ୍ନ, ଯଦି ବାପାମାଆଙ୍କୁ ହରାଇଛନ୍ତି ଏତେ ପିଲା, କରୋନାରେ ମୋଟ ମୃତ୍ୟୁ ସଂଖ୍ୟା କେତେ ?

333

କନକ ବ୍ୟୁରୋ: ରାଜ୍ୟରେ ଗତ ବର୍ଷକ ଭିତରେ ୮ ହଜାର ୩୦୯ ଜଣ ଶିଶୁ ଅନାଥ ହୋଇଛନ୍ତି । କିଏ ଉଭୟ ବାପା ମାଆଙ୍କୁ ହରାଇଛନ୍ତି ତ ଆଉ କିଏ କେବଳ ବାପା କିମ୍ବା ମାଆଙ୍କୁ ହରାଇଛନ୍ତି । ରାଜ୍ୟ ସହରକାରଙ୍କ ଆଶିର୍ବାଦ ଯୋଜନାରେ ସାମିଲ ହେବାକୁ ହେଉଥିବା ଆବେଦନରୁ ଏଭଳି ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ୮ ହଜାର ୩୦୯ ଜଣଙ୍କ ମଧ୍ୟରୁ ୧୪୬୯ ମୃତ୍ୟୁ କରୋନା କାରଣରୁ ହୋଇଥିବା ବେଳେ ୬ ହଜାର ୮୪୦ ଜଣଙ୍କ ମୃତ୍ୟୁ ଅଣକୋଭିଡ ଜନିତ ବୋଲି ଜଣାପଡିଛି ।

୨୭ଟି ଜିଲ୍ଲାରୁ ପୂରା ତଥ୍ୟ ସଂଗ୍ରହ କଲା ବେଳକୁ ଜଣାପଡିଛି, ଗତ ବର୍ଷକ ଭିତରେ ଅନେକ ଶିଶୁ ନିଜର ଅଭିଭାବକଙ୍କୁ ହରାଇଛନ୍ତି । ବଲାଙ୍ଗିରରେ ଆଜି ସୁଦ୍ଧା ୯୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଶିର୍ବାଦ ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି ୨ହଜାର ୭୩୩ ଶିଶୁ । ଏହା କେବଳେ ଗୋଟିଏ ଜିଲ୍ଲାର ସଂଖ୍ୟା ହୋଇପାରେ । ସାମଗ୍ରିକ ଭାବେ ଦେଖିବାକୁ ଗଲେ, ସାରା ଓଡିଶାର ଚିତ୍ର, ସରକାରୀ ସ୍ତରରେ ଦେଖା ଯାଉଥିବା ସଂଖ୍ୟା ଠାରୁ ଢେର ଅଧିକ ।

କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ଆଶିର୍ବାଦ ଯୋଜନା ଘୋଷଣା କରିଥିଲେ । ଜଣେ ବି ଅସହାୟ ଶିଶୁ ଯେପରି ବାଦ ନପଡନ୍ତି , ସେଥିପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଉଭୟ ପିତା ମାତା କିମ୍ବା ସିଙ୍ଗଲ ପେରେଂଟକୁ ହରାଇଥିବା ଶିଶୁଙ୍କୁ ମାସିକ ୨୫ଶହ ଟଙ୍କା , ବାପା କିମ୍ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିଲେ ମାସିକ ୧୫ ଶହ ଟଙ୍କା ଦେବାକୁ ଘୋଷଣା କରାଯାଇଥିଲା । ଏପ୍ରିଲ ୨୦୨୦ ପରଠାରୁ ଅନାଥ ଶିଶୁଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ।