ପେଟ୍ରୋଲ ପମ୍ପରେ ଅପମିଶ୍ରଣ, ୩ ବର୍ଷରେ ଆଦାୟ ହୋଇଛି ୧୧ ଲକ୍ଷ ଟଙ୍କା ଜରିମାନା । ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।

156

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଅଭିଯୋଗ ଆସୁଥିବା ବେଳେ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ଏବଂ ଅପମିଶ୍ରଣ କରୁଥିବା କେତୋଟି ପେଟ୍ରୋଲ ପମ୍ପରେ ଚଢାଉ କରି କଣ କାଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ପ୍ରଶ୍ନର ଉତ୍ତର ଦେଇ ଅତନୁ କହିଛନ୍ତି, ଗତ ୩ ବର୍ଷରେ ଅପମିଶ୍ରଣ କରୁଥିବା ୮୩ଟି ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଛି ।

ଚଢାଉ କରାଯାଇଥିବା ୮୩ଟି ପେଟ୍ରୋମ୍ପ ପମ୍ପ ଠାରୁ ୧୦ ଲକ୍ଷ ୬୬ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି । ସେହିଭଳି ଅପମିଶ୍ରଣ ରୋକିବାକୁ ତୈଳ କମ୍ପାନି ଗୁଡିକ ପଦକ୍ଷେପ ମଧ୍ୟ ନେଉଛନ୍ତି । ତୈଳ କମ୍ପାନି ଗୁଡିକ ରାଜ୍ୟରେ ଥିବା ପେଟ୍ରୋଲ ଟାଙ୍କି ଗୁଡିକ ଉପରେ ତ୍ରୈମାସିକ ତନଖି କରି ପେଟ୍ରୋଲ ଓ ଡିଜେଲର ଗୁଣବତ୍ତା ଓ ମାପ ଯାଞ୍ଚ କରନ୍ତି । ଯଦି କୌଣସି ଅନିୟମିତତା ଦୃଷ୍ଟି ଗୋଚର ହୁଏ ତେବେ ଗୁଣବତ୍ତା ପରୀକ୍ଷା ପାଇଁ ତୈଳର ନମୁନା ସଂଗ୍ରହ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପରୀକ୍ଷାଗାରକୁ ପଠାଯାଏ । ଅନେକ ସମୟରେ ପେଟ୍ରୋଲ ପମ୍ପ ଗୁଡିକ ଉପରେ ଅତର୍କିତ ଭାବେ ଚଢାଉ କରି ଯାଞ୍ଚ କରାଯାଇଥାଏ । ସେହିଭଳି ତୈଳ କମ୍ପାନି ଗୁଡିକ ଭ୍ରାମ୍ୟମାଣ ପରୀକ୍ଷାଗାର ଦ୍ୱାରା ପ୍ରତି ମାସରେ ତୈଳର ନମୁନା ସଂଗ୍ରହ କରି ଯାଞ୍ଚ କରିଥାଏ । ଅପମିଶ୍ରଣ ସମ୍ପର୍କରେ କୌଣସି ଅଭିଯୋଗ ହେଲେ ତୁରନ୍ତ ତୈଳ କମ୍ପାନି ଅଫିସରଙ୍କ ଦ୍ୱାରା ତଦନ୍ତ କରାଯାଇଥାଏ । ତେଣୁ ପୂର୍ବପେକ୍ଷା ଅପମିଶ୍ରଣର ମାତ୍ରା ହ୍ରାସ ପାଇଛି ।