‘ମନ କି ବାତ୍’ ରେ ହକି ଜାଦୁଗରଙ୍କୁ ମୋଦିଙ୍କ ଶ୍ରଦ୍ଧାଂଜଳି । ଭାରତ ନିର୍ମାଣ କ୍ଷେତ୍ରରେ ଯୁବ ଗୋଷ୍ଠୀ ଓ ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ।

76

କନକ ବ୍ୟୁରୋ: ଆଜି ‘ମନ କି ବାତ୍’ର ୮୦ ତମ ସଂସ୍କରଣରେ ହକି ଜାଦୁଗର ଧ୍ୟାନ ଚାନ୍ଦଙ୍କୁ ତାଙ୍କ ଜନ୍ମ ତିଥିରେ ଶ୍ରଦ୍ଧାଜଂଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଧ୍ୟାନ ଚାନ୍ଦଙ୍କ ସ୍ମୃତିରେ ରାଷ୍ଟ୍ରିୟ କ୍ରିଡା ଦିବସରେ ଧ୍ୟାନ ଚାନ୍ଦଙ୍କୁ ମନେ ପକାଇ ବିଶ୍ୱ କ୍ଷେତ୍ରରେ ଭାରତର ମାନ ରଖିଥିବା ତାଙ୍କର ଅଦ୍ୱିତୀୟ କୃତିକୁ ମନେ ପକାଇଥିଲେ । ଭାରତୀୟ ହକି ଖେଳାଳି ଦୀର୍ଘ ୪୦ ବର୍ଷ ପରେ ପୁଣି ଭାରତ ପାଇଁ ଆଣିଛନ୍ତି ଗୌରବ । ଏହାକୁ ନେଇ ଧ୍ୟାନ ଚାନ୍ଦଙ୍କ ଆତ୍ମାକୁ ନିଶ୍ଚୟ ଶାନ୍ତି ପାଇଥିବା ମୋଦି କହିଛନ୍ତି । ଏହାସହ ଭବିଷ୍ୟତରେ ଆହୁରି ଗୌରବମୟ ସଫଳତା ପାଇଁ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।ଏହା ସହ ଦେଶର ଯୁବ ପିଢି ଓ ସ୍ୱଚ୍ଛ ଭାରତ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଏବେକାର ଯୁବ ପିଢି ପୁରୁଣା ନିୟମକୁ ପଛରେ ପକାଇ ନିଜ ପାଇଁ ନିଜେ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ତାକୁ ପୂରଣ କରିବାକୁ ଲାଗିପଡିଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହାର ଯଥେଷ୍ଟ ପ୍ରମାଣ ଦେଖିବାକୁ ମିଳୁଛି । ଦେଶର ଯୁବ ଗୋଷ୍ଠୀଙ୍କ ଉପରେ ଦେଶର ବର୍ତ୍ତମାନ ଓ ଭବିଷ୍ୟତ ନିର୍ଭର କରୁଥିବା ମୋଦି କହିଛନ୍ତି ।ଏହା ସହ ସ୍ୱଚ୍ଛ ଭାରତ ଉପରେ ମୋଦି ଦୃଷ୍ଟିପାତ କରିଛନ୍ତି । ବିଶେଷ କରି ଇନ୍ଦୌରର ସ୍ୱଚ୍ଛତା ଉପରେ କହିଛନ୍ତି । ସେଠିକାର ଜନତା ଓ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ଆଜି ଇନ୍ଦୌର ଭାରତର ସବୁଠୁ ସ୍ୱଚ୍ଛ ସହରର ମାନ୍ୟତା ପାଇଛି । ସେଠିକାର ସ୍ୱତନ୍ତ୍ର ସ୍ୱରେଜ ପ୍ରଣାଳୀ ପୁଣ୍ୟୋତୟା ସରସ୍ୱତୀ ନଦୀକୁ ଅନେକାଂଶରେ ପ୍ରଦୂଷଣ ମୁକ୍ତ କରିପାରିଛି । ତେଣୁ ପ୍ରତି ରାଜ୍ୟ ଇନ୍ଦୌରକୁ ଅନୁସରଣ କରି ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି ।