କନକ ବ୍ୟୁରୋ :  ଉଭୟ ଦେଶ ଓ ରାଜ୍ୟରେ କମୁଛି କରୋନାର ଦୈନିକ ସଂକ୍ରମଣ । ଦେଶରେ ୭୩ ଦିନ ପରେ ସର୍ବନିମ୍ନ  ୮୦୮୩୪ ସଂକ୍ରମିତ ଚିହ୍ନଟ ହୋଇଛି । ପୂର୍ବରୁ ମାର୍ଚ ୩୧ ତାରିଖରେ ୭୧୭୪୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୩୩୦୩ ଜଣଙ୍କ ମୃତ୍ୟୁ ହୋଇଛି  । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩,୭୦,୩୮୪ ରହିଛି । ସେହିଭଳି ମୋଟ ୨ କୋଟି ୯୪ ଲକ୍ଷ ୩୯ ହଜାର ୯୮୯ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି ।

Advertisment

ଅନ୍ୟପଟେ ରାଜ୍ୟରେ ଆଜି ବି ୫ ହଜାର ତଳେ ରହିଛି କରୋନା ସଂକ୍ରମଣ  । ଗତ ୨୪ ଘଣ୍ଟାରେ ୪,୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୦୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧୯୨୩ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୬୧୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୧୩, ଯାଜପୁରରୁ ୩୭୦, ବାଲେଶ୍ୱରରୁ ୩୧୮,ଢ଼େଙ୍କାନାଳରୁ ୨୫୨,  ଅନୁଗୁଳରୁୁ ୨୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୨୦୩୪ ନମୁନା ପରୀକ୍ଷାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଟିପିଆର ବା ସଂକ୍ରମଣ ହାର ୭.୨୦ ପ୍ରତିଶତ ରହିଛି । ଏବେ ରାଜ୍ୟରେ ୫୯ ହଜାର ୩୬୧ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଗୋଟିଏ ପଟେ କରୋନା ସଂକ୍ରମଣ କମୁଥିବା ବେଳେ ଅନ୍ୟପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଅନଲକ ପାଇଁ ବାଟ ଫିଟୁଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବା ବେଳେ ଏହି ସବୁ ଜିଲ୍ଲାରେ ଅନଲକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରଜ ପରେ ଏନେଇ ନିଷ୍ପତି ନିଆଯାଇପାରେ ବୋଲି ସୂଚନା ମିଳିଛି ।