ଚିନ୍ତା ବଢାଉଛି କରୋନାର ଦ୍ୱିତୀୟ ଲହର । କେବଳ ୫ ରାଜ୍ୟରୁ ପାଖା ପାଖି ୮୦ ହଜାର ଶିଶୁ ସଂକ୍ରମିତ

719

କନକ ବ୍ୟୁରୋ : କରୋନା କବଳରେ ଏବେ ସାରାଦେଶ କବଳିତ ହୋଇସାରିଥିବା ବେଳେ କରୋନାର ଦ୍ୱିତୀୟ ଲହର ଶିଶୁ ମାନଙ୍କ ପାଇଁ କେତେ ଭୟାନକ ତାହା ଏହି ରିପୋର୍ଟରେ ପ୍ରକାଶିତ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଯୁବକ ଓ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ତଥ୍ୟ ମୁତାବକ ଦେଶର ୫ ଟି ସର୍ବାଧିକ ସଂକ୍ରମିତ ରାଜ୍ୟରୁ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ୭୯,୬୮୮ ଜଣ ଶିଶୁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । କମ୍ ବୟସ୍କଙ୍କ ପାଇଁ ଏପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ହୋଇପାରି ନଥିବା ବେଳେ ଏହି ସଂଖ୍ୟାକୁ ଦେଖି ଏବେ ସରକାର ଚିନ୍ତାରେ ପଡିଯାଇଛନ୍ତି । ସେପଟେ ବ୍ରିଟେନରେ ଆଷ୍ଟ୍ରାଜେନିକା ଶିଶୁଙ୍କ ପାଇଁ କରୋନା ଟିକା ପରୀକ୍ଷା ଆରମ୍ଭ କରିଥିଲେ ବି ଏହିଟିକା ନେବା ପରେ ଶିଶୁମାନଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧି ଯାଉଥିବାରୁ ଏହାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ମାର୍ଚ୍ଚ ପହିଲାରୁ ଏପ୍ରିଲ ୪ ତାରିଖ ମଧ୍ୟରେ କେବଳ ମହାରାଷ୍ଟ୍ରରେ ୬୦,୬୮୪ ଜଣ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଶିଶୁଙ୍କ ମଧ୍ୟରୁ  ୯୮୮୨ ଜଣଙ୍କ ବୟସ ୫ ବର୍ଷରୁ କମ୍ । ସେହିଭଳି ଛତିଶଗଡରେ ୫୯୪୦, କର୍ଣ୍ଣାଟକରେ ୭୩୨୭, ଉତ୍ତରପ୍ରଦେଶରେ ୩୦୦୪ ଓ ଦିଲ୍ଲୀରେ ୨୭୩୩ ଜଣ ଶିଶୁ କରେନାରେ ସଂକ୍ରମିତ ହୋଇଛନ୍ତି ।

କରୋନାର ପ୍ରଥମ ଲହର ବେଳେ ବିଶେଷ ଭାବେ ମଧ୍ୟବୟସ୍କ ଓ ବୟସ୍କ ବ୍ୟକ୍ତିମାନେ ଅଧିକ ସଂକ୍ରମିତ ହେଉଥିଲେ । ହେଲେ ଦ୍ୱିତୀୟ ଲହରରେ ତା’ର ଓଲଟା ଦେଖିବାକୁ ମିଳିଛି । ଅନ୍ୟପଟେ ପ୍ରଥମ ଲହରରେ ସଂକ୍ରମଣର ବେଗ ଧିମା ଥିବା ବେଳେ ଏବେ ସଂକ୍ରମଣର ବେଗ କ୍ଷୀପ୍ର ହୋଇଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ୩ ଥର ଦୈନିକ ସଂକ୍ରମଣ ୧ ଲକ୍ଷ ପାର କରିସାରିଛି ।