ଟିକା ଅଭାବରୁ ରାଜ୍ୟରେ ୮ଶହ ଟିକା କେନ୍ଦ୍ର ବନ୍ଦ । ଆଜି ୭ଶହ କେନ୍ଦ୍ରରେ ହେବ ଟିକାକରଣ ।  ରାଜ୍ୟରେ ପହଂଚିବ ୩ଲକ୍ଷ କୋଭିସିଲଡ଼ ଟିକା

86

କନକ ବ୍ୟୁରୋ : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ମହାମାରୀରୁ ଲୋକଙ୍କ ଜୀବନ ସୁରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ଲୋକଙ୍କ ଭିତରେ ଟିକାପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଟିକା ମହୋତ୍ସବ କରିବାକୁ ବି ରାଜ୍ୟ ସରକାର ମାନଙ୍କୁ ପରାମର୍ଶ ଦେଇଥିଲେ ।

ହେଲେ ଏହାରି ଭିତରେ ରାଜ୍ୟରେ ଟିକାର ଅଭାବ ଅନୁଭୂତ ହେବାରୁ ୮ ଶହ ଟିକାକରଣ କେନ୍ଦ୍ରକୁ ବନ୍ଦ କରିଦେଇଛନ୍ତି । ସମସ୍ତ ଜିଲ୍ଲାରେ କିଛି କିଛି ଟିକାକେନ୍ଦ୍ର ଖୋଲାଥିବା ବେଳେ କୋରାପୁଟରେ ଜିଲ୍ଲାରେ ସମସ୍ତ ଟିକାକେନ୍ଦ୍ର ବନ୍ଦ କରାଯାଇଛି । ରାଜ୍ୟ ଟିକାକରଣର ନୋଡାଲ ଅଧିକାରୀ ବିଜୟ ପାଣିଗ୍ରାହୀ କହିଛନ୍ତି କି ରାଜ୍ୟରେ ଥିବା ମୋଟ ୧୫୦୦ ଟିକାକରଣ କେନ୍ଦ୍ରରୁ ଏବେ ୭୦୦ ଟିକାକେନ୍ଦ୍ରରେ ଟିକାକରଣ କରାଯାଉଛି । ଟିକାର ଅଭାବ ଦୃଷ୍ଟିରୁ ଅନ୍ୟ ୮ ଶହ କେନ୍ଦ୍ରକୁ ବନ୍ଦ ରଖାଯାଇଛି । ଟିକା ଆସିବା ପରେ ପୁଣିଥରେ ଟିକାକେନ୍ଦ୍ର ବୃଦ୍ଧି କରାଯିବ । ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଟିକା ଆସୁନଥିବାରୁ ଦୈନିକ ଯେତିକି ସଂଖ୍ୟକ ଲୋକଙ୍କୁ ଟିକାଦେବାର କ୍ଷମତା ରାଜ୍ୟ ପାଖରେ ରହିଛି ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

କହିରଖୁ କି ରାଜ୍ୟରେ ନିଅଣ୍ଟିଆ ଟିକାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି କି ଓଡିଶାକୁ ଏପର୍ଯ୍ୟନ୍ତ ମୋଟ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ କୋଭିଡ୍ ଟିକା ମିଳିଛି । ସେଥିମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜର କୋଭିସିଲ୍ଡ ଟିକା ଥିବା ବେଳେ ୫ ଲକ୍ଷ ୩୬ ହଜାର ୭୮୦ ଡୋଜର କୋଭାକ୍ସିନ ଟିକା ରହିଛି ।