ଫିରିଙ୍ଗିଆ ପାଙ୍ଗା ପଂଚାୟତରେ ବିକାଶର ବାଟ ଉଗାଳିଛି ବାଘ ନଦୀ । ଦୁଇଖଣ୍ଡ କାଠ ଭରାସାରେ ନଦୀ ପାର ହେଉଛନ୍ତି ୬ ଖଣ୍ଡ ଗାଁର ୮୦୦ ଗ୍ରାମବାସୀ । ବର୍ଷାରେ ଭାସିଯାଏ କାଠ ପୋଲ, ଜଳବନ୍ଦୀ ହୁଏ ଜୀବନ

71

କନକ ବ୍ୟୁରୋ : ଦୁଇଖଣ୍ଡ କାଠ ଉପରେ ୮୦୦ ଜୀବନ । ଦୁଇଖଣ୍ଡ କାଠ ଉପରେ ନିର୍ଭର କରି ନଦୀ ପାରି ହେଉଛନ୍ତି ୬ ଖଣ୍ଡ ଗ୍ରାମବାସୀ । ଆମେ କହୁଛୁ କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ସିକେରୀ ବାଘ ନଦୀ ଉପରେ ପଡିଥିବା ୨ ଖଣ୍ଡ କାଠର କଥା । ବାଘ ନଦୀରେ ବଢି ଆସିଲେ କାଠ ଭସିଯାଏ । ବର୍ଷା ୩ ମାସ ଜଳବନ୍ଦୀ ହୋଇ ରୁହନ୍ତି ଗ୍ରାମବାସୀ ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ର ଉପାନ୍ତ ପଞ୍ଚାୟତ ପାଙ୍ଗା । ସ୍ୱାଧୀନତାର ୭୨ ବର୍ଷ ପରେ ମାଓ ଅଧ୍ୟୁଷିତ ଅଂଚଳରେ କାଠ ଗଣ୍ଡି ଭରସାରେ ନଦୀ ପାରି ହେଉଛନ୍ତି ଲୋକେ । ବାଘା ନଦୀ ଆରପଟେ ଥିବା ପାଙ୍ଗା ପଂଚାୟତର ୮ଶହରୁ ଅଧିକ ଲୋକ ଦୁଇ ଖଣ୍ଡ କାଠ ଦ୍ୱାରା ନଦୀ ପାରି ପଂଚାୟତ ମୁଖ୍ୟାଳୟକୁ ଯାତାୟତ କରୁଛନ୍ତି । ୨ଟି କାଠ ନଦୀର ଦୁଇ ପଟେ ଥିବା ଗଛରେ ବନ୍ଧା ଯାଇଛି । ଗୋଟିଏ କାଠରେ ଚାଲିବା ବେଳେ ଅନ୍ୟ କାଠକୁ ଧରିଥାନ୍ତି ଲୋକେ । ଯାହାକୁ ଦେଖିଲେ ଉପାନ୍ତ ଅଂଚଳରେ ବିକାଶର ଚିତ୍ର ଜଳଜଳ ହୋଇ ଦେଖାଯାଏ ।

ବାଘା ନଦୀରେ ପୋଟିଏ ନଥିବା ବେଳେ ଗାଁକୁ ରାସ୍ତାଟିଏ ନାହିଁ । ତେଣୁ ସରକାରୀ ଭତା, କି ରାସନ ସାମଗ୍ରୀ ଆଣିବା ପାଇଁ ଲୋକେ ଏମିତି କାଠ ସହାଯ୍ୟରେ ନଦୀ ପାରି ହେବା ପରେ ପ୍ରାୟ ୫ କିଲୋମିଟର ରାସ୍ତା ଚାଲିଥାନ୍ତି । ପାଙ୍ଗା ପଂଚାୟତର ସିକେରୀ, ମାର୍କାଲୀ, ଡେଡିସୁରୁ, ବ୍ରାହାପଦର, କାଲିକୁଟି, ମାର୍ଦାପାଙ୍ଗାରେ କେବଳ ଭତା ଓ ପିଡିଏ ସାମଗ୍ରୀକୁ ଛାଡି ଦେଲେ ବାକି ସବୁ ଯୋଜନା ଅପହଂଚ ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।

ନାହିଁ ନାହିଁର ଗାଁ ସିକେରୀ, ମାର୍କାଲି, ଡେଡିସରୁ, ବ୍ରାହାପଦର, କୁଲିକୁଟି ଓ ମାର୍ଦାପାଙ୍ଗା ଗ୍ରାମକୁ କେବେ ମିଳିବ ମୌଳିକ ସୁବିଧା? କେବେ ପଡିବ ସରକାରୀ ବାବୁଙ୍କ ପାଦ? ଏହି ବିଷୟରେ ସ୍ଥାନୀୟ ବିଡିଓଙ୍କୁ ପଚାରିଲେ ବି ସେ ଗଣମାଧ୍ୟମ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ ।