ୱାର୍କ ଫ୍ରମ୍ ହୋମ ଶେଷ ପରେ ବସ୍ ଅଫିସକୁ ଆସି କାମ କରିବାକୁ କହିଲେ । ଚାକିରି ଛାଡିଦେଲେ ୮୦୦ କର୍ମୀ

576

କନକ ବ୍ୟୁରୋ: କରୋନା ଯୋଗୁଁ ପ୍ରଥମେ ଯେତେବେଳେ ୱାର୍କ ଫ୍ରମ୍ ହୋମ ଆରମ୍ଭ ହେଲା ଏଥିପାଇଁ ଅନେକ ଅମଙ୍ଗ ହେଲେ । ହେଲେ ଏବେ ଏଥିପାଇଁ ହାଇଁପାଇଁ ହେଉଛନ୍ତିି କର୍ମଚାରୀ । ଆଉ ଅଫିସରେ କାମ କରିବାକୁ ପଡିବ ବୋଲି ଏକାବେଳକେ ଚାକିରି ଛାଡିଲେ ୮୦୦ କର୍ମଚାରୀ ।

ଏପରି ଘଟିଛି ହ୍ୱାଇଟହେଟ୍ ଜୁନିଅର୍ ନାମକ ଅନଲାଇନ୍ ଏଜୁକେସନ୍ କମ୍ପାନୀ ସହ । ୱାର୍କ ଫ୍ରମ୍ ହୋମ୍ ଅବଧି ଶେଷ ହେବାରୁ ଅଫିସ ଆସି କାମ କରିବାକୁ କୁହାଗଲା । କିନ୍ତୁ ଏତେ କମ ସମୟ ମଧ୍ୟରେ ଅଫିସ ଯାଇ କାମ କରିବାକୁ ପ୍ରସ୍ତୁତ ନଥିଲେ । କାରଣ ଅଧିକାଂଶ କର୍ମଚାରୀଙ୍କ ଘରେ ଥିଲା ଏକାଧିକ ସମସ୍ୟା । କାହାରୀ ବାପା, ମା’ଙ୍କ ଦେହ ଅସୁସ୍ଥ ଥିଲା ତ କାହାର ପିଲାଙ୍କ ସ୍କୁଲ ବନ୍ଦ ଥିବାରୁ ସେମାନଙ୍କୁ ଘରେ ଏକୁଟିଆ ଛାଡି ଅଫିସ ଯିବା ସମ୍ଭବ ନଥିଲା । ତେବେ କରୋନା ଯୋଗୁଁ କମ୍ପାନୀ କ୍ଷତି ସହୁଥିବାରୁ ଏହି ଆଳରେ କର୍ମଚାରୀ ଛଟେଇ କରିବାକୁ ଚାହୁଁଥିବା କିଛି କର୍ମଚାରୀ ଅଭିଯୋଗ ବାଢିଛନ୍ତି । କାରଣ ଯାହା ବି ଥାଉ ନା କାହିଁକି ଏକାବେଳକେ ଏତେ ସଂଖ୍ୟକ କର୍ମଚାରୀ ଚାକିରି ଛାଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ କର୍ମଚାରୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂସ୍ଥା ମୁଖ୍ୟ । ୱାର୍କ ଫ୍ରମ୍ ହୋମ ସମୟ ଶେଷ ହେବା ପରେ କର୍ମଚାରୀଙ୍କୁ ଗୁରୁଗ୍ରାମ ଓ ମୁମ୍ବାଇ ଅଫିସରେ କନଫର୍ମ କରିବାକୁ କୁହାଯାଇଥିଲା । ହେଲେ ଏଥିରେ ରାଜି ନହୋଇ କର୍ମଚାରୀମାନେ ଚାକିରି ଛାଡିଥିବା କହିଛନ୍ତି ସଂସ୍ଥା ମୁଖ୍ୟ ।