କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ସୁରକ୍ଷାକବଚ ସାଜି ଛିଡା ହେଲେ ଶିବସେନା କାର୍ଯ୍ୟକର୍ତ୍ତା । ମାତୋଶ୍ରୀ ସାମ୍ନାକୁ କାହାକୁ ଛାଡିବା ତ ଦୂରର କଥା ପାଖ ମଡାଇ ଦେଇନଥିଲେ ଶିବସେନା କାର୍ଯ୍ୟକର୍ତ୍ତା । ପ୍ରବଳ ଖରା ସତ୍ତେ୍ୱ ମଧ୍ୟ ସେମିତି ଘଣ୍ଟା ଘଣ୍ଟା ଧରି ମାତୋଶ୍ରୀ ସାମ୍ନାରେ ଛିଡା ହୋଇ ରହିଥିଲେ । ଆଉ ଏହି ଭିଡ ଭିତରେ ଜଣେ ୮୦ ବର୍ଷିୟା ବୃଦ୍ଧାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯିଏ ଉଦ୍ଧବଙ୍କ ସମର୍ଥନରେ ଘଣ୍ଟା ଘଣ୍ଟା ଧରି ମାତୋଶ୍ରୀ ସାମ୍ନାରେ ଭଜନ କରୁଥିଲେ । ଆଉ ଏହି ଘଟଣା ଜାଣିବା ପରେ ଉଦ୍ଧବ ଠାକରେ ତାଙ୍କ ସହ ଫୋନରେ କଥା ହେବା ସହ ଭଲମନ୍ଦ ପଚାରି ବୁଝିଥିଲେ । ଆଉ ଶିବସେନା କାର୍ଯ୍ୟକର୍ତ୍ତା ମାତୋଶ୍ରୀ ଠାରେ ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ବିପକ୍ଷରେ ଏଠାରେ ମୋର୍ଚ୍ଚା ଖୋଲିଥିଲେ । କାରଣ କିଛି ଦିନ ପୂର୍ବେ ଅଜାନ-ହନୁମାନ ଚାଳିଶା ବିବାଦକୁ ନେଇ ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ପଢିବା ନେଇ ଘୋଷଣା କରିଥିଲେ । ଆଉ ଆଜି ନବନୀତ ଏଠାରେ ପହଞ୍ଚିବା ପୂର୍ବରୁ ମାତୋଶ୍ରୀ ସାମ୍ନାରେ ହଜାର ହଜାର ଶିବସେନା କାର୍ଯ୍ୟକର୍ତ୍ତା ଏକାଠି ହୋଇଥିଲେ ।

Advertisment

ନବନୀତ ଯେତେବେଳେ ଏହି ଘୋଷଣା କରିଥିଲେ ସେତେବେଳେ ଏହାକୁ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଥିଲା । ଆଉ ଆଜି ସକାଳ ୯ଟା ବେଳେ ରାଣା ଦମ୍ପତି ମାତୋଶ୍ରୀ ସାମ୍ନାରେ ପହଞ୍ଚିବା ନେଇ ସ୍ଥିର ହୋଇଥିଲା । କିନ୍ତୁ ଶିବସେନାର କାର୍ଯ୍ୟକର୍ତ୍ତା ନବନୀତଙ୍କ ବାସଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରୁଥିବାରୁ ବାହାରି ପାରିନଥିଲେ ନବନୀତ । ପରେ ସୁରକ୍ଷାଦୃଷ୍ଟିରୁ ନବନୀତଙ୍କ ଘର ସାମ୍ନାରେ ପୋଲିସ ମୁତୟନ କରାଯାଇଥିଲା ।
ଅନ୍ୟପଟେ ଧୁ ଧୁ ଖରାରେ ଉଦ୍ଧବଙ୍କ ସମର୍ଥନରେ ମାତୋଶ୍ରୀ ସାମ୍ନାରେ ବସିଥିବା ୮୦ ବର୍ଷିୟା ବୃଦ୍ଧା ଚନ୍ଦ୍ରଭାଗା ସିନ୍ଦେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହିଛନ୍ତି, ମୁଁ ଆପଣଙ୍କ ବାସଭବନ ପାଖରେ ବସିଛି । ଯଦି ଆପଣଙ୍କର କିଛି ହୁଏ ତେବେ ମୋତେ ବହୁତ କଷ୍ଟ ଲାଗିବ । ସେଥିପାଇଁ ମୁଁ ଏଠାରେ ବସି ନବନୀତ ରାଣାଙ୍କୁ ଅପେକ୍ଷା କରିଛି ।

ଏସବୁ ଭିତରେ ରାଣା ଦମ୍ପତି ସାମ୍ବାଦିକ ସମ୍ମିଳନୀ କରି ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ନ ପଢିବାକୁ ଘୋଷଣା କରିଛନ୍ତି । ଉଦ୍ଧବ ଠାକରେ ଆମ ଘରକୁ ଗୁଣ୍ଡା ପଠାଇଥିଲେ । ଶିବସେନା ତ କେବେଠୁ ଶେଷ ହୋଇଗଲାଣି । ଅସଲ ଶିବସୈନିକ ମାନେ ବାଲାସାହେବଙ୍କ ସହ ଚାଲି ଯାଇଛନ୍ତି । ଏବେ କେବଳ ଗୁଣ୍ଡାଙ୍କ ଶିବସୈନିକ ଅଛନ୍ତି । ଏବେ କାହା ଉପରେ କେମିତି କାର୍ଯ୍ୟାନୁଷ୍ଠାନ ନିଆଯିବ ସେକଥା ଚିନ୍ତା କରୁଛି ଉଦ୍ଧବ ସରକାର । ରାଜ୍ୟର ବିକାଶ, ଚାଷୀ ଆତ୍ମହତ୍ୟା, ବିଜୁଳି ସମସ୍ୟା କଥା ସମ୍ପୂର୍ଣ୍ଣ ରୂପେ ଭୁଲିଗଲେଣି ଉଦ୍ଧବ ସରକାର ।