ଗାଁ ଗହଳିର ଗରିବଙ୍କ ଡାକ୍ତର ବିମ୍ବାଧର । କରୋନାକୁ ନଡରି ୮୦ ବର୍ଷରେ ବି ସେବା କରୁଛନ୍ତି, ଅଧ ରାତିରେ ରୋଗୀ ଦେଖି ମନ ଜିଣୁଛନ୍ତି । ଭେଟନ୍ତୁ ବାଲେଶ୍ୱର ସୋରର ସେବାର ସାକ୍ଷାତ ଭଗବାନଙ୍କୁ…

117

କନକ ବ୍ୟୁରୋ: ପାଦରେ ବଳ କମି ଆସିଲାଣି ହେଲେ ରୋଗୀସେବା ପାଇଁ କମିନି ମନୋବଳ । ଏବେବି ତାଙ୍କ ଘର ଆଗରେ ରୋଗୀଟିଏ ପହଞ୍ଚିଗଲେ ସବୁ କାମ ଛାଡି ସେବା କରିବାରେ ଲାଗି ପଡନ୍ତି ୮୦ ବର୍ଷର ଏ ଡାକ୍ତର । ରୋଗୀ ସେବା ପାଇଁ ତାଙ୍କ ବୟସ୍କ ହାତରେ କେଉଁଠୁ ଅଦୃଶ୍ୟ ଶକ୍ତି ଚାଲିଆସେ ସେ ନିଜେ ବି ଜାଣିପାରନ୍ତିନି । ଧଳାଧଳା ଗୋଲି ଔଷଧରେ ବିଶ୍ୱାସର ଅମୃତ ବୁନ୍ଦା ପକାଇ ଲୋକଙ୍କ ରୋଗ ଭଲ କରି କେତେ କେତେଙ୍କର ହୃଦୟ ଜିଣିଛନ୍ତି ହୋମିଓପାଥି ଡାକ୍ତର ବିମ୍ବାଧର । ସେଇଥିପାଇଁ ତ ଲୋକଙ୍କ ଆଖିରେ ବିମ୍ବାଧର ଜଣେ ବିଶ୍ୱାସର ଡାକ, ସେବାର ସାକ୍ଷାତ ଭଗବାନ ।

ବାଲେଶ୍ୱର ଜିଲ୍ଲା ସୋର ଯୋଡାମ୍ବ ଗାଁରେ ତାଙ୍କ ଘର । ସ୍ଥାନୀୟ ଅଞ୍ଚଳରେ ଡାକ୍ତର ବିମ୍ବାଧର ନାଁରେ ସେ ବେଶ ପରିଚିତ । ପିଲାଠୁ ବୁଢା, ମହିଳାଠୁ ମାଆମାଉସୀ ଏମିତି ଜଣେ କିଏ ନାହିଁ ଯିଏ ବିମ୍ବାଧରଙ୍କୁ ଜାଣି ନାହିଁ କି ତାଙ୍କ ଠାରୁ ଔଷଧ ଖାଇନାହିଁ । ସାମାନ୍ୟ ଥଣ୍ଡା ଜ୍ୱର ହେଲେ ବି ମାଆଟିଏ ଛୁଆକୁ ନେଇ ତାଙ୍କ ପାଖକୁ ଧାଇଁଯାଏ । ପିଢି ପରେ ପିଢି ପ୍ରତି ଘରେ ବିମ୍ବାଧରଙ୍କ ଔଷଧ ଖାଇ ପିଲା ବଡ ହୋଇଛନ୍ତି, ରୋଗୀ ଭଲ ହୋଇଛନ୍ତି ।

୧୯୬୦ ମସିହାରେ କଲିକତାରୁ ହୋମିଓପାଥି ପାଠ ସାରି ସେ ଘରକୁ ଫେରିଥିଲେ । ଗାଁଗଣ୍ଡାରେ ସ୍ୱାସ୍ଥ୍ୟସେବା ବିଗିଡିଥିବାରୁ ଲୋକଙ୍କ ସେବା ପାଇଁ ଚାକିରି ନକରି ସେ ଗାଁରେ ହିଁ ରହିଥିଲେ । ଆଉ ସେବେଠାରୁ ନିଜ ଘରେ ହିଁ ଲୋକଙ୍କ ସେବା କରି ଆସୁଛନ୍ତି । ଏମିତିକି ରାତି ଅଧରେ ବି ରୋଗୀଟିଏ ତାଙ୍କୁ ଡାକିଲେ ସେ ସେବା କରନ୍ତି ଆଉ ଗରିବ ଗୁରୁବା ଲୋକଙ୍କୁ ମାଗଣାରେ ସେବା ଯୋଗାଇ ଦିଅନ୍ତି । ଗରିବର ଡାକ୍ତର ସାଜିଥିବା ବିମ୍ବାଧର ଲୋକଙ୍କ ବିଶ୍ୱାସ ଜିଣିଛନ୍ତି । ପୂର୍ବରୁ ସ୍ଥାନୀୟ ଲୋକଙ୍କର ଧାରଣା ରହିଛି କି, ଯେତେବଡ ରୋଗ ହେଉ ବିମ୍ବାଧରଙ୍କ ନାଁ ଶୁଣିଲେ ରୋଗ ଆପେ ଆପେ ଦେହରୁ ଉତୁରିଯିବ । ସେହି ବିଶ୍ୱାସରେ ଏବେବି ଲୋକେ ତାଙ୍କ ପାଖକୁ ଯାଉଛନ୍ତି । ଆଉ କରୋନା ଭଳି ଏ ସଙ୍କଟ ପରିସ୍ଥିତିରେ ସଂକ୍ରମଣକୁ ଭୟ ନକରି ସେ ରୋଗୀ ଦେଖୁଛନ୍ତି । ବୟସ୍କ ଲୋକଙ୍କ କ୍ଷେତ୍ରରେ ଅଧିକ ବିପଦ ଥିବାବେଳେ ସେ କିନ୍ତୁ କୁନିକୁନି ପିଲାଙ୍କ ନାଡି ଚିପି, ଆଖି ଦେଖି, ଦେହର ଜ୍ୱର ମାପି ଔଷଧ ଦେଉଛନ୍ତି ।

ତେବେ ୮୦ ବର୍ଷ ବୟସରେ ବିମ୍ବାଧର ଏବେବି ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି । ବିନା ଚଷମାରେ ରୋଗୀ ଦେଖୁଛନ୍ତି, ଦେହରେ କମଜୁରି ନାହିଁ । ଆଉ ସବୁଠୁ ବଡ କଥା ହେଉଛି ଆଜି ଯାଏଁ ସେ କେବେବି ପାଦରେ ଜୋତା ପିନ୍ଧି ନାହାନ୍ତି । ହେତୁ ହେବା ଦିନଠୁ ଆଜିଯାଏଁ ସେ ବିନା ଚପଲରେ ଚାଲବୁଲ କରୁଛନ୍ତି ।

ବିମ୍ବାଧର କେବଳ ଡାକ୍ତର ନୁହଁନ୍ତି ଜଣେ ପ୍ରକୃତିପ୍ରେମୀ ମଧ୍ୟ । ନିଜ ବାଡିରେ ସେ ବିଭିନ୍ନ ଚାଷ କରିଛନ୍ତି । ବଜାର ଉପରେ ନିର୍ଭର ନକରି ନିଜ ବାଡିରେ ଶାଗ, ମାଛ, ପନିପରିବା, ଧାନ ଆଦି ଚାଷ କରିଛନ୍ତି । ଗୋପାଳନ ଠୁ ମହୁଛାଷ, ନଡିଆ ଗଛ ଠାରୁ ବିଭିନ୍ନ ଫଳ ଚାଷ ବି କରିଛନ୍ତି ବିମ୍ବାଧର । ବାକିତକ ଜୀବନ ରୋଗୀ ସେବାପରେ ଏଇ ବାଡିବଗିଚାରେ ବିତାନ୍ତି ବିମ୍ବାଧର । ତେବେ ରୋଗୀ ସେବା ସହ ନିଜ ଭିନ୍ନ ଅନ୍ଦାଜ ପାଇଁ ସେ ଜିଣିଛନ୍ତି ସମସ୍ତଙ୍କ ମନ ।