କନକ ବ୍ୟୁରୋ : ପରିଣତ ବୟସରେ ଶିକ୍ଷାଦାନ । ୮୦ ବର୍ଷ ବୟସରେ ବି ଶିକ୍ଷାଦାନ ଜାରି ରଖିଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମାଛରଙ୍କା ଗାଁର ବାସନ୍ତୀ ମିଶ୍ର ତଥା ବାସନ୍ତୀ ଜେଠେଇ ମାଆ । ଏମିତିକି ସେ ନିଜର ଶିକ୍ଷାଗତ ଯୋଗ୍ୟତାଠାରୁ ଅଧିକ ଶ୍ରେଣୀର ପିଲାଙ୍କୁ ସେ ଶିକ୍ଷାଦାନ କରୁଛନ୍ତି । ଅତି ସହଜ ଓ ସରଳ ଭାଷାରେ ପିଲାମାନଙ୍କୁ ପାଠ ପଢାଇ ସେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି ।

Advertisment

ଯେଉଁ ବୟସରେ ପୁଅ ବହୁ ,ନାତି ନାତୁଣୀଙ୍କ ଗହଣରେ ସମୟ କଟାଇବା କଥା ସେହି ବୟସରେ ସେ ଶିକ୍ଷାଦାନ ଜାରି ରଖିଛନ୍ତି । ମାଗଣାରେ ଶିକ୍ଷାଦାନ କରି ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ କରିବା ସହିତ ନିଜେ ଆତ୍ମସନ୍ତୋଷ ପାଉଥିବା ସେ କହିଛନ୍ତି । ସକାଳେ ସନ୍ଧ୍ୟାରେ ପିଲା ମାନଙ୍କ ଗହଣରେ ରହି ଖୁବ ଆନନ୍ଦରେ ଦିନ ବିତାଇଥାନ୍ତି । ପାଠପଢା ସମୟରେ ପିଲାମାନଙ୍କ ଉପରେ ବିରକ୍ତ ନହଇ କିପରି ପିଲାମାନେ ସହଜରେ ବୁଝିପାରିବେ ସେହି ପନ୍ଥା ଆପଣାଇ ପାଠ ପଢାଇଥାଆନ୍ତି । ଏମିତିକି ଗୋଟିଏ ପାଠକୁ ପିଲାଙ୍କୁ ବାରମ୍ବାର ବୁଝାଇଥାନ୍ତି । ସେଥିପାଇଁ ପିଲାମାନେ ବିନା ଭୟରେ ତାଙ୍କ ପାଖକୁ ଟିଉସନ ଆସିଥାନ୍ତି ।

୩୨ ବର୍ଷ ପୁର୍ବେ ସ୍ୱାମୀ ପ୍ରୀୟନାଥ ମିଶ୍ରଙ୍କ ଦେହାନ୍ତ ପରେ ଭାଙ୍ଗି ପଡି ନଥିଲେ ବାସନ୍ତୀ । ଛୋଟ ଛୋଟ ଦୁଇ ପୁଅଙ୍କୁ ନେଇ ଆର୍ଥିକ ଅନଟନ ଭିତରେ ବହୁ କଷ୍ଟରେ ପରିବାର ଚଳାଇଥିଲେ ମଧ୍ୟ କାହା ପାଖରେ ହାତ ନପତାଇ ଟ୍ୟୁସନ ଆରମ୍ଭ କରିଥିଲେ । ଗ୍ରାମାଞ୍ଚଳର ପିଲା ଓ ଅବିଭାବକମାନେ ପଇସା ଦେବାରେ ଅସମର୍ଥ ହେଲେ ବି ପିଲାମାନଙ୍କର ଭଲପାଇବା ଆଉ ଭବିଷ୍ୟତକୁ ଆଖି ଆଗରେ ରଖି ସେ ଟ୍ୟୂସନ ବନ୍ଦ କରି ନାହାନ୍ତି ।