ମାସ ଶେଷକୁ ପକେଟ ଖାଲି : ଶେଷ ହୋଇଯାଉଛି ଦରମାର ୮୦%; ସର୍ଭେରୁ ଆସିଲା ଚିନ୍ତାଜନକ ତଥ୍ୟ

181

କନକ ବ୍ୟୁରୋ : ମାସ ଶେଷରେ ପକେଟ୍ ଖାଲି । ବିଭିନ୍ନ ସାମଗ୍ରୀର ଦର ବଢୁଛି ହେଲେ ଚାକିରିଆଙ୍କ ଦରମା ବଢୁନି । ଦରମାକୁ ନେଇ ଚିନ୍ତାରେ ଚାକିରିଆ । ଦରଦାମ୍ ବଢୁଥିବାରୁ ମାସ ଶେଷ ପର୍ଯ୍ୟନ୍ତ ଦରମାରେ ଚଳିବା କଷ୍ଟକର ହୋଇପଡ଼ିଲାଣି । କନସଲଟିଂ ସଂସ୍ଥା ଇୱାଇ ରିଫାଇନି ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରୁ ଜଣାପଡ଼ିଛି ଯେ, ମାସ ଶେଷ ହେବା ପୂର୍ବରୁ ୮୦ ପ୍ରତିଶତ କର୍ମଚାରୀଙ୍କ ଦରମା ଶେଷ ହୋଇଯାଉଛି । ୩୪ ପ୍ରତିଶତ କର୍ମଚାରୀଙ୍କ ଦରମା ମାସର ମଧ୍ୟ ଭାଗରେ ଶେଷ ହୋଇଯାଉଛି ।

ମାତ୍ର ୧୩ ପ୍ରତିଶତ ଚାକିରିଆ ମାସ ଶେଷ ପର୍ଯ୍ୟନ୍ତ ନିଜ ଦରମା ବଂଚାଇ ରଖି ପାରୁଛନ୍ତି । ୩ ହଜାର ୧୦ ଜଣ ଭାରତୀୟ ଚାକିରିଆଙ୍କୁ ନେଇ ସର୍ଭେକ୍ଷଣ କରାଯାଇଥିଲା । ଏଥିରୁ ମାତ୍ର ୩୮ ପ୍ରତିଶତ ଲୋକ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରୁଛନ୍ତି । ୧ ଲକ୍ଷରୁ ଅଧିକ ଦରମା ପାଉଥିବା ୬୦ ପ୍ରତିଶତ ଚାକିରିଆ କହିଛନ୍ତି, ସମସ୍ତ ଖର୍ଚ୍ଚ ବହନ କରିବାକୁ ସେମାନଙ୍କ ମାସିକ ବେତନ ପର୍ଯ୍ୟାପ୍ତ ନୁହଁ । ୧୫ ହଜାରରୁ କମ୍ ଦରମା ପାଉଥିବା ଚାକିରିଆ ଋଣ କରିବାକୁ ବାଧ୍ୟ ହେଉଛନ୍ତି । ପ୍ରାୟ ୭୫ ପ୍ରତିଶତରୁ ଅଧିକ ଚାକିରିଆ ସେମାନଙ୍କ ଖର୍ଚ୍ଚ ଉଠାଇବାକୁ ସକ୍ଷମ ହେଉନାହାନ୍ତି । ଅତ୍ୟାବଶ୍ୟକ ପଡ଼ିଲେ ଋଣ କରିବାକୁ ବାଧ୍ୟ ହେଉଛନ୍ତି ।