ରାଜ୍ୟରେ ଆଉ ନୂଆ ୮୦ ପଜିଟିଭି: ନବରଙ୍ଗପୁର ଓ ଗଜପତିକୁ ବ୍ୟାପିଲା କରୋନା; ଜିଲ୍ଳାରେ ଜଣେ ଆକ୍ରାନ୍ତ ଚିହ୍ନଟ, ୧୨ ଶହ ୬୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

1,248

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲା । ରାଜ୍ୟରେ ପୁଣି ୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ ଗଂଜାମ ଜିଲ୍ଲାରେ ସର୍ବାଧିକ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୧୪, ବାଲେଶ୍ୱରରୁ ୩, ପୁରୀରୁ ୧୭, କଟକରୁ ଜଣଙ୍କଠାରେ ଠାବ ହୋଇଛି କୋଭିଡ ୧୯ ଭୁତାଣୁ । ସେହିଭଳି ସୁନ୍ଦରଗଡରୁ ୫, ନୟାଗଡରୁ ୫, ବଲାଙ୍ଗିରରୁ ୧ ଏବଂ ମାଲକାନଗିରିରୁ ୫ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଲରୁ ୨, ଝାରସୁଗୁଡାରୁ ୩, ଗଜପତିରୁ ୪ ଏବଂ ନବରଙ୍ଗପୁରରୁ ଜଣେ କରୋନା ସଂକ୍ରମିତ ଠାବ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଆକ୍ରାନ୍ତ କ୍ୱାରେଂଟିନ ସେଂଟରରେ ଥିବା ବେଳେ ୨ ଜଣ ହୋମ କ୍ୱାରେଂଟିନରେ ଥିଲେ ଏବଂ ବାକି ୭ ଜଣ ଲୋକାଲ କେସ୍ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେପଟେ ଆଜି ପ୍ରଥମ ଥର ପାଇଁ ନବରଙ୍ଗପୁର ଓ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ରୋଗୀ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୮୦ କରୋନା ଆକ୍ରାନ୍ତଙ୍କ ଭିତରରୁ ନବରଙ୍ଗପରୁରେ ଜଣେ ଓ ଗଜପତିରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ୨୬ଟି ଜିଲ୍ଲାକୁ ବ୍ୟାପିଛି କରୋନା ମହାମାରୀ ଭୁତାଣୁ ।

ଅନ୍ୟପଟେ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଥିବାବେଳେ ରାଜ୍ୟରେ ବର୍ତ୍ତମାନ ୮୨୬ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ୪୩୬ ଜଣ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣଙ୍କର ଦୁର୍ଭାଗ୍ୟବଶତଃ କରୋନା ମହାମାରୀରେ ମୃତ୍ୟୁ ଘଟିଛି ।