ଦାବି ନମାନିଲେ ୪ ତାରିଖରୁ ଜୋରଦାର ଆନ୍ଦୋଳନ । ୨୬ ରେ ପ୍ୟାରେଡ୍ ଗ୍ରାଉଣ୍ଡରେ ପଶିବାକୁ ଅଭ୍ୟାସ । ଆଜି ୮୦ ଟି ଚାଷୀ ସଂଗଠନ ମଧ୍ୟରେ ଗରୁତ୍ୱପୂର୍ଣ୍ଣ ବୈଠକ ।

111

କନକ ବ୍ୟୁରୋ : ୨ ଡିଗ୍ରୀ ତାପମାତ୍ରାରେ ଥରୁଛି ଦେଶର ରାଜଧାନୀ ଦିଲ୍ଲୀ । ଏହାରି ମଧ୍ୟରେ ଦେଶର ଅନ୍ନଦାତାଙ୍କ ଆନ୍ଦୋଳନ ୩୭ ଦିନରେ ପହଂଚିଛି । ହଜାର ହଜାର ଅନ୍ନଦାତା ସେମାନଙ୍କର ଦାବି ନେଇ ଦିଲ୍ଲୀର ଗାଜିପୁର, ଟିକ୍ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନ ଚଳାଇଛନ୍ତି   । ନିଜର ହକ ଗଣ୍ଡାକ ନେବାକୁ ପଣକରି ଆନ୍ଦୋଳନରେ ଝାସ ଦେଇଥିବା କୃଷକ ମାନଙ୍କ ପାଇଁ ଏହି ଶୀତ କିଛି ବି ପ୍ରଭାବ ପକାଇପାରି ନାହିଁ । ବରଂ ଦିନକୁ ଦିନ ସାରା ଦେଶରୁ ଚାଷୀ ଆନ୍ଦୋଳନପ୍ରତି ସମର୍ଥନ ବଢିବାରେ ଲାଗିଛି । ଏହାସହ ଆନ୍ଦୋଳନରତ ଚାଷୀମାନଙ୍କ ସହ ଦୈନିକ ବିଭିନ୍ନ ରାଜ୍ୟରୁ ହଜାର ହଜାର ଚାଷୀ ଆସି ଯୋଡି ହେଉଛନ୍ତି ।

ଏହି ୩୭ ଦିନର ଆନ୍ଦୋଳନ ଭିତରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଅନେକ ଥର ଦ୍ୱିପାକ୍ଷୀକ ଆଲୋଚନା ବି ହୋଇଛି । ହେଲେ ଶେଷ ଆଲୋଚନାରେ ଚାଷୀ ଓ ସରକାରଙ୍କ ମଧ୍ୟରେ ୨ ଟି ପ୍ରସ୍ତାବ ଉପରେ ସହମତି ହୋଇଛି । ହେଲେ ଚାଷୀମାନଙ୍କର ରହିଥିବା ପ୍ରମୁଖ ଦାବି ୨ ଟି ଉପରେ ଏପର୍ଯ୍ୟନ୍ତ ସହମତି ହୋଇପାରି ନାହିଁ । ଯାହାକି ଏମଏସପିକୁ ଆଇନସିଦ୍ଧ କରିବା ଓ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ ଟି କୃଷି କାନୁନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବା । ଏନେଇ ସରକାର ତାଙ୍କ ଜିଦ୍ରେ ଅଟଳ ଥିବା ବେଳେ କୃଷକ ମାନେ ବି ତାଙ୍କ ଜିଦରେ ଅଟଳ ରହିଛନ୍ତି । ଏନେଇ ଆସନ୍ତା ୪ ତାରି୍ଖ ଦିନ ସରକାର ଓ ଚାଷୀ ସଂଗଠନ ମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ହେଲେ ତା ପୂର୍ବରୁ ଆଜି ଦିନ ୨ ଟା ବେଳେ ଚାଷୀ ସଂଗଠନ ମାନଙ୍କ ମଧ୍ୟରେ ଏକ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଏହି ଆଲୋଚନାରେ ପାଖା ପାଖି ୮୦ ଟି ଛୋଟ ବଡ କୃଷକ ସଂଗଠନ ଭାଗ ନେବେ । ଆଲୋଚନାରେ ଆଗାମୀ ରଣନୀତି ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇପାରେ । ସରକାର ଯଦି କୃଷକ ମାନଙ୍କର ଦାବିକୁ ନମାନନ୍ତି ତାହେଲେ ଆସନ୍ତା ୪ ତାରିଖରୁ ଆନ୍ଦୋଳନକୁ ଜୋରଦାର କରାଯିବା ସହ ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲାରେ ହେବାକୁ ଥିବା ପ୍ୟାରେଡରେ କୃଷକ ସଂଗଠନ ମାନେ ଟ୍ରାକ୍ଟର ଓ ଟ୍ରଲିସହ ଧସେଇ ପଶିବାକୁ ଯୋଜନା କରୁଥିବା ଜଣାପଡିଛି । ଏନେଇ ଗତକାଲି ଠାରୁ ଚାଷୀମାନେ ସେମାନଙ୍କ ଟ୍ରାକ୍ଟର ଓ ଟ୍ରଲିକୁ ନେଇ ପ୍ୟାରେଡ୍ ଅଭ୍ୟାସ ଆରମ୍ଭ କରିଛନ୍ତି ।