ଦିଲ୍ଲୀ ସରୋଜ ହସ୍ପିଟାଲରେ କରୋନାର କରାଳ ରୂପ । ୮୦ କର୍ମଚାରୀ କରୋନା ପଜିଟିଭ୍ । ଜଣେ ଡାକ୍ତର ମୃତ

125

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଜାରି ରହିଛି କରୋନାର ପ୍ରକୋପ । ଏହାରି ଭିତରେ ଦିଲ୍ଲୀର ସରୋଜା ସୁପର ସ୍ପେଶାଲିଟ୍ ହସ୍ପିଟାଲରେ ୮୦ ଜଣ ମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଖବର ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । କେବଳ କର୍ମଚାରୀମାନେ କରୋନା ସଂକ୍ରମିତ ହୋଇ ନାହାନ୍ତି, କରୋନା ସଂକ୍ରମଣରେ ଜଣେ ଡାକ୍ତରଙ୍କର ବି ମୃତ୍ୟୁ ହୋଇଛି ।

ହସ୍ପିଟାଲର ପ୍ରମୁଖ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପି.କେ ଭରଦ୍ୱାଜ ଗଣମାଧ୍ୟମକୁ କହିଛନ୍ତି କି, ହସ୍ପିଟାଲର ବରିଷ୍ଠ ଡାକ୍ତର ଏ.କେ ରାୱତ ଶନିବାର ଦିନ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ସବୁଠାରୁ ବଡକଥା ମୃତ୍ୟୁବରଣ କରିଥିବା ଡାକ୍ତର ଜଣଙ୍କ କରୋନା ଟିକାର ଦୁଇଟି ଯାକ ଖୋରାକ ନେଇସାରିଥିଲେ । ଏହାସହ ମେଡିକାଲରେ ୮୦ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା କଥା ପି.କେ ଭରଦ୍ୱାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହାସହ ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ୧୩ ଟି ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରିଛନ୍ତି । ଏହି ୧୩ ଟି ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ୭୪୫୦ ଟି ବେଡ ସଂରକ୍ଷିତ ଥିବା କଥା କୁହାଯାଇଛି ।