ପ୍ରମାଣ ଦେଲା ବାୟୁସେନା ! ସାମ୍ନାକୁ ଆସିଲା ବାଲାକୋଟ୍ ଆକ୍ରମଣର ସାଟେଲାଇଟ୍ ଚିତ୍ର ।

ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକୁ ନେଇ ବିବାଦ ଜୋର ଧରିଥିବା ବେଳେ ଏହାର ପ୍ରମାଣ ଦେଇଛି ବାୟୁସେନା ।

369

କନକ ବ୍ୟୁରୋ: ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକୁ ନେଇ ବିବାଦ ଜୋର ଧରିଥିବା ବେଳେ ଏହାର ପ୍ରମାଣ ଦେଇଛି ବାୟୁସେନା । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ପ୍ରକାଶ ପାଇଛି ସେହି ବାଲୋକୋଟର ଚିତ୍ର, ଯେଉଁଠି ଆତଙ୍କବାଦୀଙ୍କ ଆଡ୍ଡାକୁ ଧୁଳିସାତ କରିଦେଇଥିଲା ଭାରତୀୟ ବାୟୁସେନା । କୁହାଯାଉଛି-ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ୍ କରି ଯେଉଁ ବୋମାମାଡ଼ କରିଥିଲା, ସେଥିରୁ ପ୍ରାୟ ୮୦ ପ୍ରତିଶତ ଠିକଣା ଜାଗାରେ ମାଡ଼ ହୋଇଛି ।

ସୂଚନା ଅନୁସାରେ ସରକାରକୁ ୧୨ ପୃଷ୍ଠାର ଏକ ରିପୋର୍ଟ ଦେଇଛି ବାୟୁସେନା । ଯେଉଁଥିରେ ବାଲାକୋଟ୍ ଅଂଚଳରୁ ନିଆଯାଇଥିବା ହାଇରିଜୋଲ୍ୟୁସ୍ ଫଟୋ ମଧ୍ୟ ସାମିଲ ରହିଛି  । ତେବେ ଏହି ରିପୋର୍ଟ ସାର୍ବଜନୀନ ହେବ ନା ନାହିଁ ତାହା ସରକାର ନିଷ୍ପତି କରିବେ ସାଟେଲାଇଟ୍ ଜରିଆରେ ଉତୋଳନ ହୋଇଥିବା ଏକାଧିକ ଚିତ୍ର ସମେତ ଏକ ସଂପୂର୍ଣ୍ଣ ବିବରଣୀ କେନ୍ଦ୍ର ସରକାରଙ୍କୁ ଦେଇଛି ଭାରତୀୟ ବାୟୁସେନା । ପୂର୍ବରୁ ବାୟୁସେନା ସ୍ପଷ୍ଟ କରିିଛି ଯେ, ଟାର୍ଗେଟକୁ ହିଟ୍ କରିବା ତାଙ୍କ କାମ, କ୍ଷୟକ୍ଷତି ଆକଳନ କରିବା ତାଙ୍କ କାମ ନୁହେଁ ।

 

ତେବେ ରଏଟର୍ସର ରିପୋର୍ଟରୁ ପ୍ରକାଶ ପାଇଥିବା ଫଟୋ କହୁଛି- ବାଲୋକୋଟ୍ ଅଂଚଳରେ ଜୈସ-ଏ-ମହମ୍ମଦ ପକ୍ଷରୁ ଚାଲୁଥିବା ମାଦ୍ରସା ଗୁଡ଼ିକ ସେମିତି ଅଛି, ଯେମିତି ଥିଲା । ଅର୍ଥାତ୍ ବିଶେଷ କ୍ଷୟକ୍ଷତି ହୋଇନାହିଁ  । ଏପଟେ ଏହାକୁ ନେଇ ବି ଭାରତରେ ରାଜନୀତି ତେଜୁଛି  । ବଡ କଥା ହେଉଛି ବାଲାକୋଟ୍ ଏୟାର ଷ୍ଟ୍ରାଇକକୁ ନେଇ ଉଠୁଛି ଅନେକ ପ୍ରଶ୍ନ  । ବିଦେଶୀ ଗଣମାଧ୍ୟମ ସେଭଳି ବଡଧରଣର କ୍ଷୟକ୍ଷତି ହୋଇନଥିବା ଦାବି କରୁଥିବା ବେଳେ ଭାରତରେ ବିରୋଧୀ ଦଳ ମଧ୍ୟ ଏୟାର୍ ଷ୍ଟ୍ରାଇକ୍ ପରର ପ୍ରମାଣ ମାଗିବାକୁ ପଛାଇ ନାହାଁନ୍ତି  । ଅମିତ ଶାହା ୨୫୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ସର୍ବସମ୍ମୁଖରେ ଘୋଷଣା କରିବା ପରେ ଅମିତ ଶାହାଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି ବିରୋଧୀ  । ଦିଗବିଜୟ ସିଂ, ଅରବିନ୍ଦ କେଜ୍ରିୱାଲ, ମାୟାବତୀ, ମମତା ବାନାର୍ଜୀଙ୍କ ସମେତ ବିରୋଧୀ ଦଳର ଏକାଧିକ ନେତା ବାଲାକୋଟ୍ ଆକ୍ରମଣର ପ୍ରମାଣ ମାଗିଛନ୍ତି ।

 

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କବାଦୀଙ୍କ ଉପରେ ସବୁଠୁ ବଡ ଏୟାର ଷ୍ଟ୍ରାଇକ୍ କରିଥିଲା ବାୟୁସେନା । ୧୨ଟି ଲଢୁଆ ବିମାନ ନେଇ ଶତ୍ରୁ ସୀମାରେ ପଶି, ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଏକାଧିକ କ୍ୟାମ୍ପକୁ ଧୁଳିସାତ କରିଦେଇଥିଲା । ଏବେ ପ୍ରଶ୍ନ ହେଉଛି ବାଲାକୋଟ୍ର ସତ କ’ଣ? ତାହା କେବଳ ସରକାର ହିଁ ସ୍ପଷ୍ଟ କରିପାରିବେ । ଆଉ ଏସବୁ ଭିତରେ ଦେଖିବାର କଥା ବାୟୁସେନା ଦେଇଥିବା ତଥ୍ୟକୁ ସାର୍ବଜନୀନ କରୁଛନ୍ତି ନା ନାହିଁ ମୋଦି ସରକାର?