କନକ ବ୍ୟୁରୋ: ନକଲି ସାର୍ଟିଫିକେଟ ପ୍ରସଙ୍ଗରେ ବିଜେପିର ସାଂଘାତିକ ଅଭିଯୋଗ । ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ନକଲି ଶାସନ ଚାଲିଛି ଯେଉଁଥିରେ ସବୁକିଛି ନକଲି । ଏଠି ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଥିବା ବେଳେ ଖାଲି ନକଲି ସାମଗ୍ରୀ ମିଳୁଛି । ଯେଉଁଥିରେ ହାତ ମାରିବେ ତାହା ନକଲି । ଶିକ୍ଷା ବିଭାଗର ତାଗିତ ସତ୍ତେ୍ୱ ଅଧିକାରୀମାନେ ଶିକ୍ଷକଙ୍କ ନିଯୁକ୍ତି ପୂର୍ବରୁ ସେମାନଙ୍କ ପ୍ରମାଣପତ୍ରକୁ ଯାଞ୍ଚ କରୁନାହାନ୍ତି । କୋର୍ଟ ଡାକ୍ତରଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା ବି ହେଉନାହିଁ । ଅନେକ ବଡ ବଡ ନେତାଙ୍କ ଏଥିରେ ସମ୍ପୃକ୍ତି ରହିଛି । ରାଜ୍ୟରେ ନକଲି ଶିକ୍ଷକ ହଜାର ହଜାର ରହିଛନ୍ତି । ଯଦି ସତସାହସ ଅଛି ତେବେ ରାଜ୍ୟ ସରକାର ସିବିଆଇ ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି ।