୮ ବର୍ଷର ପୁଅକୁ ଗାଡି ଚଳାଇବାକୁ ଦେବା ବାପାଙ୍କୁ ପଡିଲା ମହଙ୍ଗା । କଟିଲା ମୋଟା ଅଙ୍କର ଚାଲାଣ, ଭିଡ଼ିଓରେ ଦେଖନ୍ତୁ କୁନି ପିଲାର ବାଇକ୍ ରାଇଡିଂ ।

1,358

ନାବାଳକ ପୁଅକୁ ଗାଡି ଚଳାଇବାକୁ ଦେବା ମହଙ୍ଗା ପଡିଲା । ବାପାଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟିଲା । ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ କଡାକଡି ହୋଇଛି ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ମାତ୍ରେ ମୋଟା ଅଙ୍କର ଚାଲାଣ କାଟୁଛି ପୋଲିସ । ଆଉ ଏସବୁ ଭିତରେ ଜଣେ ୮ରୁ ୧୦ ବର୍ଷର କୁନି ପିଲା ରାସ୍ତା ଉପରେ ଗାଡି ଚଳାଉଥିବାର ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡିଓଟି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର ହୋଇଥିବା ବେଳେ ଏହା ଖୋଲାଖୋଲି ଟ୍ରାଫିକ ନିୟମର ଉଲ୍ଲଂଘନ କରୁଛି ।

ଭିଡ଼ିଓରେ ଲକ୍ଷ୍ନୌର ରାଜରାସ୍ତାରେ ୮ରୁ ୧୦ ବର୍ଷର କୁନି ବାଳକ ଏକ ବାଇକ ଚଳାଉଥିବାର ଦେଖିବାକୁ ମିଳିଛି । ତେବେ ଭିଡ଼ିଓ ଭାଇରାଲ ହେବା ପରେ ଗାଡିଟି ଜଣେ କ୍ଷୀର ମାଲିକଙ୍କ ନାଁରେ ପଞ୍ଜୀକୃତ ହୋଇଥିବା ଜଣାପଡିଥିଲା । ତେବେ ନୂଆ ମୋଟର ଯାନ ଆଇନ ଅନୁଯାୟୀ, ନାବାଳକ କିମ୍ବା ନାବାଳିକା ଗାଡି ଚଳାଇବାକୁ ଦେଲେ ସେମାନଙ୍କ ଅଭିଭାବକଙ୍କ ନାଁରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିବା ସହ ୩ ମାସ ପର୍ଯ୍ୟନ୍ତ ଜେଲ ମଧ୍ୟ ହୋଇପାରେ ।

ଆଉ ନୂଆ ନିୟମ ଅନୁଯାୟୀ, ଗାଡିର ମାଲିକଙ୍କ ନାଁରେ ଚାଲାଣ କାଟିଛନ୍ତି ଟ୍ରାଫିକ ଏସପି । ବାଇକ୍ ନମ୍ବର ଆଧାରରେ ୧୧,୫୦୦ ଟଙ୍କାର ଚାଲାଣ କଟାଯାଇଥିବା ବେଳେ ଉକ୍ତ ଶିଶୁର ଅଭିଭାବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।