ସ୍କୁଲ ବାରଣ୍ଡାରୁ ମିଳିଲା କଅଁଳ ଛୁଆର ଖିନବିନ୍ ଶରୀର ! ଚକଲେଟ୍ କିଣିଦେବାକୁ କହି ୬ବର୍ଷର ଝିଅ ସହ ଦୁଷ୍କର୍ମ ଅଭିଯୋଗ

60

କନକ ବ୍ୟୁରୋ : କାଠୁଆ ଓ ଉନ୍ନାଓ ଦୁଷ୍କର୍ମ ଘଟଣାରେ ସାରାଦେଶ ଉଦବେଗ ପ୍ରକାଶ କରୁଥିବାବେଳେ ପୁଣି ଆସିଛି ଜଣେ ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାରର ଅଭିଯୋଗ । ସାଲେପୁରରେ ୬ବର୍ଷର ଶିଶୁକନ୍ୟାକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ସ୍ୱସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଅନୁଧ୍ୟାନ କରୁଛନ୍ତି ୧୩ ଜଣିଆ ଡାକ୍ତରୀ ଦଳ । ମୃତ୍ୟୁ ସହ ସଂଗ୍ରାମ କରୁଥିବା କୁନି ଝିଅଟିର କାହଣୀ ପୁଣି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି । ଆଇନ କଠୋର ହେଲେ ଏଭଳି ଅପରାଧ ଉପରେ ଅଙ୍କୁଶ ଲାଗିବ ବୋଲି ଅନୁମାନ କରାଯାଉଛି ।

କୁନିକୁନି ପିଲାଙ୍କ ପ୍ରତି ପାଶବିକ ଅତ୍ୟାଚାର କରୁଥିବା ଅପରାଧୀଙ୍କୁ ଫାଶୀ ଖୁଂଟରେ ଝୁଲାଇଦେବାକୁ ସାରା ଦେଶରୁ ସ୍ୱର ଉଠିବା ପରେ କେନ୍ଦ୍ର ସରକାର ଆଇନ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତଥାପି ଦିନକୁ ଦିନ ଏଭଳି ନୂଆନୂଆ ଘଟଣାମାନ ସାମ୍ନାକୁ ଆସିବାରେ ଲାଗିଛି । ସାଲେପୁରର ଘଟଣା ପୁଣିଥରେ କଠୁଆ ଘଟଣାକ ୁ ମନେ ପକାଇ ଦେଇଛି । ମାତ୍ର ୬ ବର୍ଷର ଛୁଆଟିକୁ ପରିବାର ଲୋକେ ଗାଁ ସ୍କୁଲ ପିଣ୍ଡାରୁ ଉଦ୍ଧାର କଲାବେଳକୁ ତା ଦେହରେ ଥିଲା ଅନେକ କ୍ଷତଚିହ୍ନ । ଦେହସାରା ଖଣ୍ଡିଆ ଖାବରା ହୋଇ ରକ୍ତ ଝରୁଥିଲା, ମୁହଁକୁ ବାରମ୍ବାର ମୁଥ ମରାଯାଇଥିବାରୁ ସିଝି ଯାଇଥିଲା, ବେକକୁ ଜୋରରେ ଚିପି ଧରିବା ଫଳରେ ଭାଙ୍ଗିଯାଇଥିଲା ବେକହାଡ । ଏଭଳି ଦରମରା ଅବସ୍ଥାରେ ହସ୍ପିଟାଲକୁ ଧରି ଧାଇଁଥିଲେ ପରିବାର ଓ ପାଖପଡୋଶୀ । ଶିଶୁଟିର ଅବସ୍ଥା ଦେଖି ଅନୁମାନ କରୁଥିଲେ ତାସହ ଦୁଷ୍କର୍ମ ହୋଇଛି, ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଛି ଦୁଷ୍କର୍ମକାରୀ ।

ସାଲେପୁର ଅଂଚଳରେ ଶିଶୁଟି ସହ ହୋଇଥିବା ଏହି ଘୃଣ୍ୟ ଅପରାଧ ପୁଣିଥରେ ସାରାରାଜ୍ୟର ମୁଣ୍ଡ ତଳକୁ କରିଦେଇଛି । କଟକ ଏସସିବି ମେଡିକାଲ କଲେଜ ଆଇସିୟୁରେ ଭର୍ତି ଶିଶୁଟିକୁ ଏକ ୧୩ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ନିରୀକ୍ଷଣରେ ରଖା ଯାଇଛି । ଶିଶୁଟିର ଅବସ୍ଥା ସଂକଟାପନ୍ନ ରହିଛି । ଦୁଷ୍କର୍ମ ନେଇ ପରିବାର ଲୋକେ ଆଣିଥିବା ଅଭିଯୋଗର ସତ୍ୟସତ୍ୟ ପରଖିବାକୁ ଆବଶ୍ୟକ ଡାକ୍ତରୀ ଯାଂଚ କରାଯାଉଛି । ସେପଟେ ପରିବାର ଲୋକଙ୍କ ଏତଲା ଆଧାରରେ ପୋଲିସ ସେହି ଗାଁର ଜଣେ ଯୁବକକୁ ଗିରଫ କରିଛି ।

ଗତକାଲି ସଂଧ୍ୟା ପ୍ରାୟ ୬ଟାରେ ଝିଅଟି ଚକୋଲେଟ ଆଣିବାକୁ ଯାଉଛି କହି ଘରୁ ବାହାରିଥିଲା । ଆଉ ଅଭିଯୋଗ ଅନୁସାରେ ସଂପୃକ୍ତ ଯୁବକ ତାକୁ ଚକୋଲେଟ କିଣିଦେବ କହି ସାଙ୍ଗରେ ନେଇଯାଇଥିବାବେଳେ ଗାଁ ସ୍କୁଲ ନିକଟରେ ଦୁଷ୍କର୍ମ କରିଥିଲା । ଅଧଘଂଟାର ପାୱାରକଟ୍ ପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ରାତି ପ୍ରାୟ ୮ଟା ବେଳକୁ ଝିଅକୁ ଯେଭଳି ଅବସ୍ଥାରେ ଉଦ୍ଧାରକଲେ ତାକୁ ସହଜରେ ବିଶ୍ୱାସ କରିପାରିନଥିଲେ ।କେବଳ ସାଲେପୁର ଅଂଚଳର ଏହି ଗୋଟିଏ ଘଟଣା ନୁହେଁ, ଗତକାଲି କଟକ ଗ୍ରାମାଂଚଳ ଥାନା ଅଂଚଳରେ ଏଭଳି ୪ଟି ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଛି । ଏଥିରେ ୭ଜଣଙ୍କୁ ଗିରଫ କରାଯାଇଥିବାବେଳେ ସାଲେପୁରର ଏହି ନାବାଳିକା ଜୀବନ ସହ ସଂଗ୍ରାମ କରୁଛି ।